#TPNODL ଟିପିଏନଓଡିଏଲକୁ ବଡ଼ ସଫଳତା: ବିଦ୍ୟୁତ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାର ଶ୍ରେଷ୍ଠ ସଂସ୍ଥା ଭାବେ ବିବେଚିତ

ଟିପିଏନଓଡିଏଲକୁ ମିଳିଛି ବଡ଼ ସଫଳତା | ବିଦ୍ୟୁତ ସେବା କ୍ଷେତ୍ରରେ ନିଜର ଉତ୍କର୍ଷତା ପାଇଁ ଓଡ଼ିଶାର ଶ୍ରେଷ୍ଠ ସଂସ୍ଥା ଭାବେ ବିବେଚିତ ହୋଇଛି | କେବଳ ସେତିକି ନୁହେଁ, ଜାତୀୟ ସ୍ତରରେ ବି ଚମକିଛି ଟିପିଏନଓଡିଏଲ | ଜାତୀୟ ସ୍ତରରେ ନବମ ସ୍ଥାନ ହାସଲ କରିବା ସହ ଏ-ପ୍ଲସ ମୂଲ୍ୟାଙ୍କ ହାସଲ କରିଛି |

ଜାତୀୟ ସ୍ତରରେ ଟିପିଏନଓଡିଏଲ ବଡ଼ ସଫଳତା ହାତେଇଛି | ଏକ ଉତ୍କର୍ଷ ବିଦ୍ୟୁତ୍ ବିତରଣ ସଂସ୍ଥା ଭାବେ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବା(ଟିପିଏନଓଡ଼ିଏଲ)କୁ ସ୍ୱତନ୍ତ୍ର ପରିଚୟ ମିଳିଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୧୪ତମ ସମନ୍ବିତ ରେଟିଂ ଓ ରାଙ୍କିଙ୍ଗ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି | ସାରା ଦେଶର ୫୪ଟି ବିଦ୍ୟୁତ ବିତରଣ ସଂସ୍ଥା ମଧ୍ୟରୁ ଟିପିଏନଓଡ଼ିଏଲ ସମ୍ମାନଜନକ ଏ-ପ୍ଲସ ମୂଲ୍ୟାଙ୍କ ହାସଲ କରିବା ସହ ଓଡ଼ିଶାରେ ପ୍ରଥମ ଓ ସର୍ବଭାରତୀୟ ସ୍ତରରେ ନବମ ସ୍ଥାନରେ ରହିଛି | ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ ଆବଣ୍ଟନ ଦାୟିତ୍ଵ ନେଇଥିବା ଟିପିଏନଓଡିଏଲ ଏଥିରେ ସମୁଦାୟ ୯୪.୭୭ ସ୍କୋର ହାସଲ କରିଛି |

rqefwxzvsDb

‘ଟିପିଏନଓଡିଏଲ’ର ଏହି ସଫଳତା ପଛରେ ଏକ ବିଶେଷ କାରଣ ରହିଥିବା କୁହାଯାଉଛି | ସଂସ୍ଥା ଦାୟିତ୍ଵ ଗ୍ରହଣ କରିବା ପରଠାରୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ସମଗ୍ର ଉତ୍ତର ଓଡ଼ିଶାରେ ବେଶ ସୁଧାର ଆଣିଥିବା ଦେଖିବାକୁ ମିଳିଛି | ବିଶେଷ କରି, ଅତ୍ୟାଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ବିତରଣ କ୍ଷେତ୍ରରେ ସଂସ୍କାରକୁ ଅଧିକ ସଂଗଠିତ କରିଛି । ସେହିପରି ସମନ୍ଵିତ ବାଣିଜ୍ୟିକ ଓ ସଞ୍ଚାରଣ କ୍ଷତି ପୂର୍ବରୁ ୨୫ ପ୍ରତିଶତ ଥିବା ବେଳେ ଏବେ ୧୨ ପ୍ରତିଶତକୁ ଖସିଛି | ସେହିପରି ୫,୫୦୦ ସର୍କିଟ କିଲୋମିଟରରୁ ଅଧିକ ନୂଆ ଏଗାର କେଭି ଲାଇନ ସଂଯୁକ୍ତ ହୋଇଛି | ୬୫୩ ସର୍କିଟ କିଲୋମିଟରରେ ୩୩କେଭି ଲାଇନ, ୨୬୬୨ ସର୍କିଟ କିଲୋମିଟରରେ ଏଲଟି ଲାଇନ ବୃଦ୍ଧି ହୋଇଛି | ସାଇଡି ଓ ସାଇଫିରେ ମଧ୍ୟ ବେଶ୍ ସୁଧାର ଆଣିବା ପାଇଁ କମ୍ପାନୀ ପ୍ରଚେଷ୍ଟା କରିଥିବା କୁହାଯାଉଛି | ଅନୁରୂପ, ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୧୦ହଜାର ୭ଶହରୁ ଅଧିକ ବିତରଣ ଟ୍ରାନ୍ସଫର୍ମର ଓ ୭୮ଟି ନୂଆ ପିଟିଆର ସ୍ଥାପନ କରାଯାଇଛି | ଅତ୍ୟାଧୁନିକ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର ଅବା (ପିଏସସିସି) ‘ସ୍କାଡା’ ଦ୍ଵାରା ପିଏସଏସ ଗ୍ରୀଡଗୁଡିକ ସଞ୍ଚାଳିତ ହେଉଛି | ଫଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ଅତ୍ୟାଧୁନିକ ହୋଇଥିବା ବେଳେ ବୈଷୟିକ ତ୍ରୁଟି ସଜାଡିବା ପ୍ରକ୍ରିୟା ସହଜ ଓ ସରଳ ହୋଇଛି |

ରାଙ୍କିଙ୍ଗକୁ ନେଇ ଟିପିଏନଓଡିଏଲ ବେଶ ସନ୍ତୋଷ ପ୍ରକାଶ କରିଛି | ଗୁଣାତ୍ମକ ବିଦ୍ୟୁତ ସେବା କାରଣରୁ ଏହି ସଫଳତାର ହକଦାର ହୋଇପାରିଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି | କେବଲ ଫଲ୍ଟ ଲୋକେଟର, ଅଟୋ ରିକ୍ଲୋଜର, ଟ୍ରଲି ମାଉଣ୍ଟେଡ ଡିଟିଆର, ଭୂତଳ କେବଲ ବ୍ୟବସ୍ଥା, ଡ୍ରୋନ ଥର୍ମୋଗ୍ରାଫି ଆଦି ନୂତନ ଅତ୍ୟାଧୁନିକ ବ୍ୟବସ୍ଥା ଗୁଣାତ୍ମକ ବିଦ୍ୟୁତ ସେବାକୁ ସୁନିଶ୍ଚିତ କରୁଥିବା କୁହାଯାଇଛି | ବଡ଼ କଥା ହେଉଛି, ପୂର୍ବରୁ ବିପଦଜନକ ସ୍ଥିତିରେ ଥ‌ିବା ବିଦ୍ୟୁତ ସବ-ଷ୍ଟେସନ ଓ ଟ୍ରାନ୍ସଫର୍ମରଗୁଡ଼ିକର ଏବେ ରୂପାନ୍ତରଣ ହୋଇଛି। ପଶୁପକ୍ଷୀ, ପିଲାଛୁଆ କେହି ଯେମିତି ଏହାର ସଂସ୍ପର୍ଶରେ ନ ଆସିବେ ସେନେଇ ବ୍ୟବସ୍ଥା ହୋଇଛି | ଟ୍ରାନ୍ସଫର୍ମରଗୁଡିକୁ ପକ୍କା ପ୍ରାଚୀର ଓ ଶକ୍ତ ଜାଲି ଦ୍ବାରା ଆବଦ୍ଧ କରାଯାଇଛି। ୧୧ କେଭିଠାରୁ ଆରମ୍ଭ କରି ଏଲଟି ଓ ୩୩ କେଭି ପର୍ଯ୍ୟନ୍ତ ବିଦ୍ୟୁତ ତାର ତଥା ଖୁଣ୍ଟଗୁଡ଼ିକର ଭିତ୍ତିଭୂମି କ୍ରମଶଃ ସଶକ୍ତ ହେବାରେ ଲାଗିଛି | ଏସବୁର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଟିମ କାର୍ଯ୍ୟ କରୁଛି | କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତ୍ତା ଉପକରଣ ଯୋଗାଇ ଦିଆଯିବା ସହ ସଭିଙ୍କୁ ସ୍ବତନ୍ତ୍ର ଶିବିର ଦ୍ବାରା ପ୍ରଶିକ୍ଷଣ ଦିଆଯାଉଛି | ଫଳରେ ଓଡ଼ିଶାରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଟିପିଏନଓଡିଏଲ ଏକ ଉଦାହରଣ ସାଜିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି |

ସଫଳତାକୁ ନେଇ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେ ଖୁସି ବ୍ୟକ୍ତ କରିଛନ୍ତି | ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଗୁଣାତ୍ମକ ସେବା, ରୂପାନ୍ତରଣ ଓ ନିରାପତ୍ତା କ୍ଷେତ୍ରରେ ଅନେକ ସଂସ୍କାର ଆସିଛି | ତେବେ ସମସ୍ତ କର୍ମଚାରୀ, ଉପଭୋକ୍ତା ଓ ସରକାରଙ୍କ ସହଯୋଗରେ ଏହା ସମ୍ଭବପର ହୋଇପାରିଥିବା ପ୍ରକାଶ କରିଛନ୍ତି | ପୂର୍ବଭଳି ସଂସ୍ଥା ଉପରେ ଭରସା ଓ ବିଶ୍ୱାସ ରଖିବାକୁ ସେ ଅନୁରୋଧ କରିଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Rising Utkal, Editorial