୨୪ ପୂର୍ବରୁ ସରଗରମ ବାଲେଶ୍ୱର ସଦର ସ୍ୱରୂପ, ନାରାୟଣ ନା ବିକ୍ରମ !!
ଚବିଶ ପୂର୍ବରୁ ବାଲେଶ୍ୱର ସଦର ଆସନରେ ଆରମ୍ଭ ହେଲାଣି ଦବଦବା ରାଜନୀତି | ଏନେଇ ସବୁ ଦଳର ଆଶାୟୀ ପ୍ରାର୍ଥୀ ପ୍ରସ୍ତୁତ କଲେଣି ସ୍ୱତନ୍ତ୍ର ରଣନୀତି | ନିଜର ସ୍ଥିତି ବଜାୟ ରଖିବା ତଥା ଟିକେଟ ହାତେଇବାକୁ ଚଳାଇଲେଣି ଜୋରଦାର ପ୍ରସ୍ତୁତି | ବିଜେଡ଼ି ଓ ପିଜେପିର ଏକାଧିକ ଆଶାୟୀ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ବେଳେ କଂଗ୍ରେସରେ କିନ୍ତ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି | ଅପରପକ୍ଷେ ଏହି ଆସନ ନିକଟରେ ଉପନିର୍ବାଚନ ଦେଖିଥିବାରୁ ବିଜେଡ଼ି ଚଳିତ ଥର କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ସବୁଠି ଚାଲିଛି ଜୋରଦାର ଚର୍ଚ୍ଚା |
ସଦର ଆସନରେ ବର୍ତମାନ ବିଧାୟକ ଅଛନ୍ତି ସ୍ୱରୂପ କୁମାର ଦାସ | ୨୦୨୦ ଉପନିର୍ବାଚନରେ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ୧୩,୦୦୦ ଭୋଟରେ ମାତ ଦେଇଥିଲେ ସେ | ବିଜେପି ହାତରୁ ଏହି ସିଟ ଛଡାଇ ଆଣି ଦେଖାଇଥିଲେ ଦବଦବା | ଅବଶ୍ୟ ଏନେଇ ପୁରା ବିଜେଡ଼ି ଦଳ ତାଙ୍କ ପାଇଁ ସବୁ ପ୍ରକାର କ୍ଷମତା ପ୍ରୟୋଗ କରିଥିଲା | ତେବେ ନିଜର ତଥ୍ୟ ଭିତ୍ତିକ ଉପସ୍ଥାପନା ଓ ସାଧାରଣ ସମସ୍ୟା ସହ ଜଡ଼ିତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ସେ | ନିକଟରେ ୨୦୦ ମାଷ୍ଟର ଟ୍ରେନରଙ୍କ ସହ ଦଳ ତାଙ୍କୁ ଶଙ୍ଖ ଭବନକୁ ଡାକିଥିବାର ସୂଚନା ମଧ୍ୟ ରହିଛି | ଏସବୁ ଦୃଷ୍ଟିରୁ ସ୍ୱରୂପଙ୍କୁ ଏଥର ଟିକେଟ ମିଳିପାରେ ବୋଲି ଆକଳନ କରାଯାଉଛି | ସେପଟେ ବିଜେଡ଼ିର ଅନ୍ୟ ଦୁଇ ପ୍ରମୁଖ ଆଶାୟୀଙ୍କ ଜୋରଦାର ଲବି ସ୍ୱରୂପଙ୍କ ପାଇଁ ଟେନସନର କାରଣ ସାଜିଛି |
ବିଜେଡ଼ିର ଅନ୍ୟତମ ଆଶାୟୀ ହେଉଛନ୍ତି ନାରାୟଣ ପ୍ରଧାନ | ପୂର୍ବରୁ ସେ ସଦର ବ୍ଲକ ଚେୟାରମ୍ୟାନ ଥିବା ବେଳେ ବର୍ତ୍ତମାନ ଜିଲ୍ଲା ପରିଷଦ ସଭାପତି ଅଛନ୍ତି | ସଦର ଆସନରେ ତାଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ରହିଛି | ବଡ଼ କଥା ହେଉଛି, ବର୍ତମାନର ସଦର ବ୍ଲକ ଚେୟାରମ୍ୟାନ ସୁନିତା ବେହେରା, ପୌରାଧ୍ୟକ୍ଷା ସବିତା ସାହୁ, ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁଙ୍କ ସମର୍ଥନ ତାଙ୍କ ସହ ରହିଛି | ଅନ୍ୟପଟେ ଯୁବନେତା ବିକ୍ରମ ପଣ୍ଡା ମଧ୍ୟ ବିଜେଡ଼ି ଟିକେଟ ଆଶାୟୀ ରହିଥିବା କୁହାଯାଉଛି | ସେ ସ୍ୱାଧୀନ ଭାବେ ଘନ ଘନ ଆନ୍ଦୋଳନ କରିବା ସହ ଲୋକଙ୍କ ସମସ୍ୟା ବୁଝୁଛନ୍ତି | ଅପରପକ୍ଷେ ସ୍ୱରୂପଙ୍କ ସହ ମନମାଳିନ୍ୟ ରହିଥିବାରୁ ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଟିମ ଭିତିରିଆ ନାରାୟଣ ଓ ବିକ୍ରମଙ୍କୁ ସହଯୋଗ ଦେଉଥିବା କୁହାଯାଉଛି | ତେଣୁ ନିର୍ବାଚନ ପୂର୍ବରୁ ବିକ୍ରମ ବିଜେଡ଼ିରେ ଏଣ୍ଟ୍ରି ମାରି ଟିକେଟ ପାଇଁପାରନ୍ତି ବୋଲି ହେଉଛି ଚର୍ଚ୍ଚା | ଅନୁରୂପ ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ପୌରାଧ୍ୟକ୍ଷା ସବିତା ସାହୁଙ୍କ ନାମ ମଧ୍ୟ ଟିକେଟ ଆଶାୟୀ ତାଲିକାରେ ରହିଛି | ତେବେ ବିଜେଡ଼ି ସୁପ୍ରିମୋ କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ଏବଂ କାହା ମୁଣ୍ଡରେ ବିଜୟ ଶିରିପା ବନ୍ଧା ହେଉଛି, ତାହା ଦେଖିବାକୁ ବାକି ରହିଲା |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ


——————————————————————
ମଙ୍ଗଳ ଗ୍ରହରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପପୃଥିବୀରେ ହୋଇଥିଲେ ଭୁଷୁଡ଼ି ପଡିଥାନ୍ତା ସମସ୍ତ ଅଟ୍ଟାଳିକା
ସାଧାରଣତଃ, ଟେକ୍ଟୋନିକ ପ୍ଲେଟର ଚଳନ ଯୋଗୁ ପୃଥିବୀପୃଷ୍ଠରେ ଭୂକମ୍ପ ହୋଇଥାଏ ବୋଲି ବୈଜ୍ଞାନିକଙ୍କ ମତ ରହିଛି | ସମାନ ଭାବେ ମଙ୍ଗଳ ଗ୍ରହରେ ମଧ୍ୟ ଏକ କଠିନ ପ୍ଲେଟ ରହିଛି। ଯାହାର ଚଳନ ଯୋଗୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେଉଛି। ସୂଚନାଯୋଗ୍ୟ, ମେ ୪ରେ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଥିଲା। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପୃଥିବୀରେ ଅନୁଭୂତ ହେଉଥିବା ଭୂକମ୍ପ ଠାରୁ କେଇଗୁଣା ଅଧିକ ଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ସମାନ ତୀବ୍ରତାରେ ପୃଥିବୀରେ ଭୂକମ୍ପ ହୋଇଥିଲେ ବଡ଼ ବଡ଼ ମହଲ ଭୁଶୁଡି ପଡ଼ିଥାନ୍ତା | ଏଥିସହ ପ୍ରାୟ ସମସ୍ତ ଘରର ଝରକା ଭାଙ୍ଗି ଯାଇଥାନ୍ତା ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି |
ଅନୁରୂପ, ଭାରତର ଚନ୍ଦ୍ର ମିଶନ “ଚନ୍ଦ୍ରାୟାନ-୩”ର ମିଶନ ସମୟରେ ଚନ୍ଦ୍ରପୃଷ୍ଠରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ମଙ୍ଗଳ ଗ୍ରହରେ ହୋଇଥିବା ଏହି ଭୁକମ୍ପ ବେଶ ତୀବ୍ର ଥିବା ସ୍ପେସ ଏଜେନ୍ସି ନାସାର ଇନସାଇଟ ଲ୍ୟାଣ୍ଡର ଦେଇଛି |
ଗତ ୪ବର୍ଷ ମଧ୍ୟରେ ନାସାର ଇନସାଇଟ ଲ୍ୟାଣ୍ଡର ଦ୍ୱାରା ମଙ୍ଗଳପୃଷ୍ଠରେ ୧୩୧୯ ଭୂକମ୍ପ ଚିହ୍ନଟ ହୋଇଥିବା ସୂଚନା ରହିଛି | ଅନ୍ୟପକ୍ଷରେ, ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ତଥ୍ୟରେ ଉଲ୍କାପିଣ୍ଡ ଯୋଗୁ ଲାଲ୍ ଗ୍ରହ ମଙ୍ଗଳରେ ଭୂକମ୍ପ ହୋଇଥିବା ଅନୁମାନ କରାଯାଉଛି।
ଉପସ୍ଥାପନା: ରାଇଜିଂ ଉତ୍କଳ

