ଟିପିଏନଓଡ଼ିଏଲ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ: ଉଦ୍ୟମୀ ମହିଳାଙ୍କୁ ସମ୍ବର୍ଦ୍ଧନା

ଟିପିଏନଓଡ଼ିଏଲ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ; ଉଦ୍ୟମୀ ମହିଳାଙ୍କୁ ସମ୍ବର୍ଦ୍ଧନା

ଟିପିଏନଓଡ଼ିଏଲର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଉପକୃତ ତଥା ଆତ୍ମନିର୍ଭରଶୀଳ ମହିଳାମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି | ବୈଶିଙ୍ଗା ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ୬ ଶହରୁ ଅଧିକ ମହିଳା ସାମିଲ ହେବା ସହ ନିଜ ନିଜର ଅଭିଜ୍ଞତା ବଖାଣିଥିଲେ | ଏହା ସହ ପ୍ରଦର୍ଶନୀ ଷ୍ଟଲରେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ହସ୍ତକଳା ସାମଗ୍ରୀଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଗଜାନନ କାଲେ, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ପଣ୍ଡା, ସିଏସଆର ମୁଖ୍ୟ ରଞ୍ଜନ ଶର୍ମା, ମୟୂରଭଞ୍ଜ ବିପିଏମ ମଧୁଚନ୍ଦା ବେହେରାଙ୍କ ସମେତ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ତଥା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |

କାର୍ଯ୍ୟକ୍ରମକୁ ସମ୍ବୋଧନ କରି, ସିଇଓ ଶ୍ରୀ କାଲେ କହିଥିଲେ ଯେ, ସାମ୍ପ୍ରତିକ ସମାଜରେ ମହିଳା ସଶକ୍ତିକରଣ କେବଳ ନାରା ନୁହଁ, ଏହା ବାସ୍ତବରେ ମଧ୍ୟ ପ୍ରତିଫଳିତ ହୋଇଛି | ସେମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ଓ ସ୍ୱାବଲମ୍ବୀ ହୋଇ ପାରିଛନ୍ତି | ଏଣୁ ମହିଳାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଆମେ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ସେ କହିଛନ୍ତି | ଏହି ଅବସରରେ ଟିପିଏନଓଡ଼ିଏଲ ପକ୍ଷରୁ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋକପାତ କରିବା ସହ ସମାଜ ଗଠନରେ ସଂସ୍ଥାର ଭୂମିକା ବାବଦରେ ବକ୍ତବ୍ୟ ରଖିଥିଲେ |

ସେହିପରି ମହିଳା ଉପଭୋକ୍ତାଙ୍କ ପାଇଁ ପ୍ରତ୍ଯେକ ବୈଦ୍ୟୁତିକ ମଣ୍ଡଳ ସ୍ତରରେ ଏକ ନିଆରା କାର୍ଯ୍ୟକ୍ରମ ‘ଫେମେ ଫିଏଷ୍ଟା ୩.୦’ ଅନୁଷ୍ଠିତ ହୋଇଯାଇଛି | ମହିଳା ଉପଭୋକ୍ତାଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ସହ ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିକାଶମୁଖୀ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା | ଏହି ଅବସରରେ ଟିପିଏନଓଡିଏଲର ବିଦ୍ୟୁତ ସେବା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ମହିଳା ଉପଭୋକ୍ତାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ ଆୟୋଜିତ ହୋଇଥିଲା | ଏଥିସହ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା କର୍ମଚାରୀଙ୍କୁ ନେଇ ଟିପିଏନଓଡିଏଲ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଯୋଜନା ରହିଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି |

Leave a Reply

Your email address will not be published. Required fields are marked *