ରାଇଜିଂ ଉତ୍କଳ
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂତନ ନିର୍ଦ୍ଦେଶକ ଭାବେ ଡ. ମନୋରମା ମହାନ୍ତି ନିଯୁକ୍ତ ହୋଇଛନ୍ତି | ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀ ବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଗୁଜରାଟ ଅହମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କ ଗ୍ରେଡ୍କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି |
ସୂଚନା ଅନୁସାରେ, ଓଡ଼ିଶା ଝିଅ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି | ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ସେ ଭାରତୀୟ ପାଣିପାଗ ବିଭାଗରେ ଯୋଗ ଦେଇଥିଲେ | ଆରବ ସାଗର ଇତିହାସରେ ସବୁଠୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ଡ. ମହାନ୍ତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା | ତାଙ୍କର ସଠିକ୍ ଆକଳନ ଓ ସତର୍କ ସୂଚନା ଯୋଗୁଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇପାରିଥିଲା | ଏନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ଡ. ମହାନ୍ତି ଉଚ୍ଚ ପ୍ରଶଂସିତ ହୋଇଥିଲେ | ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି | ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି |
ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #RisingUtkal #BhubanesawarMeterologicalCenter #DrManoramaMohanty #Director

