ଧର୍ମଗଡ଼ ଉପ-ଜିଲ୍ଲାପାଳରୁ ୫-ଟି ସଚିବ: ଏମିତି ଥିଲା ପାଣ୍ଡିଆନ୍‌ଙ୍କ ୨୩ ବର୍ଷର ସଫଳ ଜୟଯାତ୍ରା

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ସ୍ବେଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ସୋମବାର ମଞ୍ଜୁରୀ ଦେଇଛି | ସମ୍ପୃକ୍ତ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି | ପାଣ୍ଡିଆନ ଆଗକୁ କେଉଁ ଭୂମିକା ନିଭାଇବେ ତାକୁ ନେଇ ଉଭୟ ବିଜେଡ଼ି ଓ ବିରୋଧୀ ନେତାଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଅନ୍ୟପକ୍ଷରେ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଥିଲେ ଯେ, ପାଣ୍ଡିଆନଙ୍କ ରାଜନୀତି କରିବାର ଅଛି ଯଦି ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ମଇଦାନକୁ ଆସନ୍ତୁ | ମାତ୍ର ସମ୍ପୃକ୍ତ ବିଷୟ ଏବେ ସତ ହୋଇଛି | ତେବେ ଜଣେ ଆଇଏଏସ ଭାବେ କିପରି ଥିଲା ପାଣ୍ଡିଆନଙ୍କ ୨୩ ବର୍ଷର ଜୟଯାତ୍ରା, ଆସନ୍ତୁ ଜାଣିବା…

ଶ୍ରୀ ପାଣ୍ଡିଆନ୍‌ ୨୯ ମେ’ ୧୯୭୪ ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ | ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ ସ୍ନାତକ ଓ ସ୍ନାତକୋତ୍ତର ବିଷୟରେ ସେ ପାସ କରିଥିଲେ | ପରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ କ୍ୟାରିୟର ଆରମ୍ଭ କରିଥିଲେ | ୭ ସେପ୍ଟେମ୍ବର ୨୦୦୦ ମସିହାରୁ ୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଆଇଏଏସ ତାଲିମ ନେଇଥିଲେ | ପରେ ପ୍ରଥମେ ଓଡ଼ିଶା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପ-ଜିଲ୍ଲାପାଳ ନିଯୁକ୍ତି ପାଇଥିଲେ | ୧ ଅଗଷ୍ଟ ୨୦୦୨ରୁ ୨୯ ଫେବ୍ରୁଆରୀ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ ଧର୍ମଗଡ଼ରେ କାର୍ଯ୍ୟ କରିଥିଲେ |

କଳାହାଣ୍ଡି ପରେ ଶ୍ରୀ ପାଣ୍ଡିଆନ ୧ ମାର୍ଚ୍ଚ ୨୦୦୪ରୁ ୩୦ ଜୁନ୍‌ ଯାଏଁ ଓଡ଼ିଶା ନିର୍ବାଚନ ବିଭାଗରେ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ | ୧ ଜୁଲାଇ ୨୦୦୪ରୁ ୩୦ ଏପ୍ରିଲ ୨୦୦୫ ଯାଏଁ ଶ୍ରୀ ପାଣ୍ଡିଆନଙ୍କୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ମିଳିଥିଲା | ଅନୁରୂପ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା | ପରେ ସେ ଗଞ୍ଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରୀ ୧ ପର୍ଯ୍ୟନ୍ତ ସଫଳ କାର୍ଯ୍ୟ କରିଥିଲେ |

ତେବେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବା ସମୟରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଶାସିଥିଲେ | ପରେ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଥିଲା | ଏହି ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା | ଏଥିସହ ସେ ନିଜର କାର୍ଯ୍ୟ ପରିସର ବ୍ୟାପକ କରିଥିଲେ | ପରେ ୨୦୧୯ରେ ‌ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫-ଟି ସଚିବ ଭାବେ ନିଯୁକ୍ତ କଲେ | ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଲେ। ଏଥିସହ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଲେ | ଏହାଛଡ଼ା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଲୋକଙ୍କ ସମସ୍ୟା ସମାଧାନ ଆଳରେ ସେ ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତ କରିବା ଚର୍ଚ୍ଚାର ପରିସରକୁ ଆସିଥିଲା | ଯାହାକୁ ନେଇ ବିରୋଧୀ ଦଳ ତୋମ୍ବି ତୋଫାନ କରିଥିଲେ | ବିଜେଡ଼ି ଦଳର କିଛି ଆଗ ଧାଡ଼ିର ନେତା ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ | ଜଣେ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲା ଗସ୍ତ କରିବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଥିଲା | ଫଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ପ୍ରତି ସଭାରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା |

ତେବେ ବିରୋଧୀଙ୍କୁ ପ୍ରତିଉତ୍ତର ସ୍ୱରୂପ ସେ ଏବେ ପ୍ରଶାସନିକ ସେବାକୁ ନିଜକୁ ଅବ୍ୟାହତି ଦେଇଛନ୍ତି | ଫଳରେ ତାଙ୍କର ୨୩ ବର୍ଷର ସଫଳ ପ୍ରଶାସନିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିଛି | ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନଙ୍କ ସ୍ବେଛାକୃତ ଅବସର ରାଜ୍ୟ ରାଜନୀତିରେ କେଉଁ ନୂଆ ମୋଡ଼ ଯୋଡୁଛି, ତାହା ଦେଖିବାକୁ ବାକି ରହିଲା |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

 

Leave a Reply

Your email address will not be published. Required fields are marked *