ପ୍ରେରଣାଦାୟୀ ନାରାୟଣୀ || ‘ମୋ କଲେଜ’ ପାଣ୍ଠିକୁ ୫୦ଲକ୍ଷ

ଦିନ ଥିଲା, ଦାରିଦ୍ର୍ୟର କଷାଘାତ ଭିତରେ ସେ ଜୀବନ ଜିଇଁବା ନେଇ ସଂଘର୍ଷ କରୁଥିଲେ । ପରିବାରର ବୋଝ ଓ ଆର୍ଥିକ ଅନାଟନ ପାଇଁ ପଢା ଛାଡ଼ିବାକୁ ବସିଥିଲେ । ହେଲେ ନିୟତିର ନିଦେ୍ର୍ଦଶ କିଛି ଅଲଗା ଥିଲା । ଏସସିବିରେ ଡାକ୍ତରୀ ଶିକ୍ଷା ପାଇଁ ଗଙ୍ଗାଧର ମେହେର ମହାବିଦ୍ୟାଳୟ ମାସିକ ୨୫ ଟଙ୍କାର ସହାୟତା ପ୍ରଦାନ କଲା । ଫଳରେ ସେ ଜଣେ ସଫଳ ଡାକ୍ତରାଣୀ ହେବା ସହ ରୋଗୀସେବା କଲେ । ଏବେ ୮୬ ବର୍ଷ ବୟସରେ ପହଞ୍ଚିଛନ୍ତି ସେ । ହେଲେ ଗୁରୁଦକ୍ଷିଣା ଦେବାକୁ ଭୁଲି ନାହାନ୍ତି । ତାଙ୍କ ପରି ଗରିବ ମେଧାବୀଙ୍କ ପାଠ ପଢା ନେଇ ସେ ଅଣ୍ଟା ଭିଡ଼ିଛନ୍ତି । ଏନେଇ ଗୋଟିଏ ବର୍ଷରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଫଣ୍ଡକୁ ସମୁଦାୟ ୫୦ ଲକ୍ଷର ସହାୟତା ପ୍ରଦାନ ପୂର୍ବକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ସମ୍ବଲପୁରର ପ୍ରେରଣାଦାୟୀ ନାରାୟଣୀ । ତାଙ୍କ ସମ୍ପର୍କରେ ଆମର ଏହି ଆଲେଖ୍ୟ ।

ରାଜ୍ୟର ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା ନିକଟରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ‘ମୋ କଲେଜ’ ପାଣ୍ଠିକୁ ୨୦ ଲକ୍ଷର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଅର୍ଥର ଦୁଇଗୁଣା ‘ମୋ କଲେଜ’ ପକ୍ଷରୁ ଅନୁଦାନ ମିଳିବ । କଲେଜର ନବ ନିର୍ମିତ ବହୁମୁଖୀ ସମ୍ମେଳନ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ଏହି ଅର୍ଥ ଖର୍ଚ୍ଚ ହେବ । ବିଶେଷ କରି ସ୍ମାର୍ଟ କ୍ଲାସ୍‌, ସାଉଣ୍ଡ ବ୍ୟବସ୍ଥା, ଡେସ୍କ ବ୍ୟାଞ୍ଚ ଓ ଅନ୍ୟାନ୍ୟ ଆଧୁନିକ ଆସବାବପତ୍ର କ୍ରୟ ହେବ । ଅନୁରୂପ ଡାକ୍ତର ପଣ୍ଡା ପୂର୍ବରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ‘ମୋ କଲେଜ’ ପାଣ୍ଠିକୁ ୩୦ ଲକ୍ଷର ଆର୍ଥିକ ଅନୁଦାନ ଦେଇଥିଲେ । ଏହି ଅର୍ଥରେ ବିଦ୍ୟାର୍ଥୀଙ୍କୁ ନୂତନ ଜ୍ଞାନକୌଶଳ ନେଇ ଅତ୍ୟାଧୁନିକ ଆଇଟି ସେଣ୍ଟର ସ୍ଥାପନ ହୋଇଛି । ଏହାଛଡ଼ା, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ସ୍ୱତନ୍ତ୍ର ‘କର୍ପସ’ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି । ଏହି ଅର୍ଥ ସ୍ନାତକ ଓ ସ୍ନାତକତ୍ତୋର ବିଭାଗର ଗରିବ ମେଧାବୀଙ୍କୁ ଛାତ୍ରବୃତ୍ତି ପୁରସ୍କାର ନିମନ୍ତେ ପ୍ରଦାନ କରାଯିବ । ତେବେ ନାରାୟଣୀଙ୍କ ଏହି ବଦାନ୍ୟତା ସଭିଙ୍କୁ ବହୁ ମାତ୍ରାରେ ପ୍ରେରଣା ଯୋଗାଇଛି ।

ଏହି ଚେକ୍‌ ପ୍ରଦାନ କାର୍ଯ୍ୟକ୍ରମ ଡାକ୍ତର ପଣ୍ଡାଙ୍କ ବାସ ଭବନରେ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଡାକ୍ତର ପଣ୍ଡାଙ୍କ ସାନ ଭାଇ ଡ. ରାମକୃଷ୍ଣ ପଣ୍ଡା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ, ପ୍ରଫେସର ସମିତା ଆଚାର୍ଯ୍ୟ, ପ୍ରଫେସର ପବିତ୍ର ମୋହନ ବେହେରା ଓ ‘ମୋ କଲେଜ’ ସଂଯୋଜକ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସହାୟତା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଡାକ୍ତର ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ନାରାୟଣୀଙ୍କ କହିବାର କଥା ଯେ, ଶିକ୍ଷାନୁଷ୍ଠାନର ବିକାଶ ନେଇ ‘ମୋ କଲେଜ’ ଏକ ମାଧ୍ୟମ । ତେବେ ସରକାରଙ୍କ ଏହି ନିଆରା ଯୋଜନାରେ ସାମିଲ ହୋଇ ସହାୟତାର ହାତ ବଢାଇବାକୁ ସେ ସଭିଙ୍କୁ ଆହ୍ୱାନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *