ପାର୍ବଣ ସମୟରେ ସ୍ମାର୍ଟ ସିଟିରେ ହୋଇଥିବା ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି | ଯୋଜନା ସମ୍ପର୍କରେ ଖବର ପାଇ ମଞ୍ଚେଶ୍ଵର ପୋଲିସ ଘଟଣା ସ୍ଥଳରେ ଅଚାନକ ଚଢଉ କରିଛି | ୭ ଜଣ ଡକାୟତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ବହୁ ମରଣାସ୍ତ୍ର ଜବତ କରିଛି |
ସୂଚନା ମୁତାବକ, ଦୁର୍ଗାପୂଜା ମଣ୍ଡପଗୁଡ଼ିକରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଥିଲା | ତେବେ ସମ୍ପୃକ୍ତ ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସକୁ ସୂଚନା ମିଳିଥିଲା |
ପରେ ଏକ ସ୍ୱତନ୍ତ୍ର ଟିମ ସଦଳବଳେ ହାଡବାଇ ବସ୍ତିର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏକ ଅନ୍ଧାରିଆ ନିକାଞ୍ଚନ ସ୍ଥାନରେ ଚଢଉ କରିଥିଲା | ସେଠାରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା | ଏଥିସହ ଛାନଭିନ ସମୟରେ ପୋଲିସ ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ୨ଟି ବାଉଁଶ ଠେଙ୍ଗା, ୨ଟି ଲୁହା ଛଡ, ୨ଟି ଛୁରୀ, ଏକ ଟର୍ଚ୍ଚ ଲାଇଟ, କିଛି ଲଙ୍କା ଗୁଣ୍ଡା ଏବଂ ମଦ ବୋତଲ ଜବତ କରିଥିଲା | ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ମସୁଧା କରୁଥିବା ବୟାନ ମଧ୍ୟ ରେକର୍ଡ ହୋଇଛି | ପୂର୍ବରୁ ସେମାନଙ୍କ ନାମରେ କେଉଁ ସବୁ ଅଭିଯୋଗ ରହିଛି ତାକୁ ନେଇ ମଧ୍ୟ ବିଶ୍ଳେଷଣ ହୋଇଛି |
ଅଭିଯୁକ୍ତ ତପନ ଭୋଇ ବିରୋଧରେ ମଞ୍ଚେଶ୍ଵର ଥାନାରେ ପୂର୍ବରୁ ୪ଟି ମାମଲା ରହିଛି | ସେହିପରି ସାଗର ଭୋଇ ବିରୋଧରେ ମଞ୍ଚେଶ୍ଵର ଥାନାରେ ୩ଟି ଓ ଶହୀଦନଗର ଥାନାରେ ଗୋଟିଏ ମାମଲା ରହିଛି | ଅଭିଯୁକ୍ତ ଦୀପକ କୁମାର ସେଠୀଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ୩ଟି, କ୍ୟାପିଟାଲ ଥାନାରେ ୧ଟି ଓ କୁମ୍ଭାରପଡା ଥାନାରେ ଗୋଟିଏ ମାମଲା ରହିଛି। ସେହିପରି ଅଭିଯୁକ୍ତ ସଞ୍ଜୟ ଦାସ, ସନ୍ତୋଷ ଦାସ, ରାଜେଶ ଭୋଇ ଓ ମିଥୁନ ଦାସଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି। ମଞ୍ଚେଶ୍ଵର ପୋଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
ଡକାୟତି ଯୋଜନା ପଣ୍ଡ; ୭ ଗିରଫ

