ଭୁବନେଶ୍ୱର,22/10: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ପାରାଦୀପଠୁ ଦକ୍ଷିଣରେ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବାର ଆକଳନ କରିଛି ପାଣିପାଗ ବିଭାଗ । ଆଜି ମଧ୍ୟାହ୍ନରୁ ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ । ଧୀରେ ଧୀରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ଏହା ଦୁର୍ବଳ ବାତ୍ୟାର ରୂପ ନେଇପାରେ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୮୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ୨୫ ଅକ୍ଟୋବର ଯାଏ ଉପକୂଳରେ ବର୍ଷା ହେବ । ବାତ୍ୟା ନେଇ SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ରହିବା ସମ୍ଭାବନା ନାହିଁ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୭ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି

