ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ପଠାଇଛି । ଫେମା (FEMA) ତଥା ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ-୧୯୯୯ର ଏକ ମାମଲାରେ ଏହି ସମନ ଲାଗିଛି | ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ନିର୍ଦ୍ଦେଶାଳୟ ପଚରାଉଚରା କରିବ । ଏଥିପାଇଁ ଶୁକ୍ରବାର ହାଜର ହେବାକୁ କୁହାଯାଇଛି । ଫଳରେ ବୈଭବ ଗେହଲଟ ଫସିପାରନ୍ତି ବୋଲି କୁହାଯାଇଛି | ଅନ୍ୟପକ୍ଷରେ, ଏହାର ପ୍ରଭାବ ନିକଟ ନିର୍ବାଚନ ଉପରେ ପଡ଼ିପାରେ ବୋଲି ଆକଳନ କରାଯାଉଛି |
ସମାନ ଭାବେ, ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି । ତେବେ ପୁଅକୁ ଇଡି ସମନ କରିବା ପରେ ବିଜେପି ଉପରେ ବର୍ଷିଛନ୍ତି ଅଶୋକ ଗେହଲଟ । ଟ୍ୱିଟ୍ କରି ବିରୋଧ କରିବା ସହ ଇଡିର ଦାଦାଗିରି ଚାଲିଛି ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ମହିଳା, କୃଷକ ଓ ଗରିବଙ୍କୁ କଂଗ୍ରେସ ଦ୍ବାରା ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି | ହେଲେ ସେଥିରେ ବିଜେପି ଇର୍ଷାନ୍ୱିତ ହୋଇ ଏପରି କରୁଛି |
କିଛି ମାସ ପୂର୍ବେ ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢ଼ାଉ କରିଥିଲା ଇଡି । ସେହି ସମୟରେ FEMA ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ରିସର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ କାନ୍ତ ଶର୍ମା | ଯିଏକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟଙ୍କ ବିଜ୍ନେସ୍ ପାର୍ଟନର୍ । ତେବେ ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ