ସେବେ ଗଢିଥିଲା, ଏବେ ସୁଝିବାର ବେଳ।। ‘ସମ୍ବଲପୁର ମହିଳା ମହାବିଦ୍ୟାଳୟ’ର ବିକାଶ ନେଇ ୧୦ ଲକ୍ଷ

ଭୁବନେଶ୍ୱର, ୨୭.୧୦.୨୦୨୩:
ସମ୍ବଲପୁରର ପ୍ରାକ୍ତନ ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡ. ରାମକୃଷ୍ଣ ପଣ୍ଡା । ନିକଟରେ ସମ୍ବଲପୁର ମହିଳା ମହାବିଦ୍ୟାଳୟର ‘ମୋ କଲେଜ’ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଅର୍ଥର ଦୁଇଗୁଣା ‘ମୋ କଲେଜ’ ପକ୍ଷରୁ ଅନୁଦାନ ମିଳିବ । କଲେଜର ନବ ନିର୍ମିତ ବହୁମୁଖୀ ସମ୍ମେଳନ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ଏହି ଅର୍ଥ ଖର୍ଚ୍ଚ ହେବ । ବିଶେଷ କରି ସ୍ମାର୍ଟ କ୍ଲାସ୍‌, ସାଉଣ୍ଡ ବ୍ୟବସ୍ଥା, ଡେସ୍କ ବ୍ୟାଞ୍ଚ ଓ ଅନ୍ୟାନ୍ୟ ଆଧୁନିକ ଆସବାବପତ୍ର କ୍ରୟ ହେବ । ତେବେ ମହିଳା କଲେଜରେ ସେ ପ୍ରାକ୍ତନ ପ୍ରାଧ୍ୟାପକ ଥିବାରୁ ସମ୍ପୃକ୍ତ କଲେଜରେ ନାରୀ ଶକ୍ତିର ବିକାଶ ପାଇଁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି ।


ଡ. ପଣ୍ଡାଙ୍କର ଏହି ସହାୟତା ନୂଆ ନୁହେଁ । ପୂର୍ବରୁ ଚାକିରୀ କରିଥିବା ସମସ୍ତ କଲେଜର ବିକାଶ ନେଇ ସେ ‘ମୋ କଲେଜ’ ପାଣ୍ଠିକୁ ଲକ୍ଷାଧିକ ଦାନ କରିଛନ୍ତି । ବିଭିନ୍ନ କଲେଜର ସ୍ୱତନ୍ତ୍ର କର୍ପସ ପାଣ୍ଠିକୁ ମଧ୍ୟ ତାଙ୍କର ଲକ୍ଷାଧିକ ଟଙ୍କାର ଅବଦାନ ରହିଛି । ଏହି କର୍ପସ ପାଣ୍ଠି ଜରିଆରେ କଲେଜର ସ୍ନାତକ ଓ ସ୍ନାତକୋତ୍ତର ମେଧାବୀଙ୍କୁ ପୁରସ୍କାର ବୃତ୍ତି ମିଳିବ । ଏନେଇ ଡ. ପଣ୍ଡା କହନ୍ତି ଯେ; କଲେଜ ଦିନେ ଆମକୁ ଗଢିଥିଲା, ଉପଯୁକ୍ତ ଜ୍ଞାନ ପ୍ରଦାନ ସହ ଅର୍ଥ ରୋଜଗାର ନେଇ ସକ୍ଷମ କରାଇଥିଲା । ଆଉ ଏବେ ନିଜର ଋଣ ସୁଝାଇବାର ବେଳ । ଏଣୁ ସମସ୍ତେ ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ’ରେ ସାମିଲ ହୋଇ ନିଜ କଲେଜର ବିକାଶ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ତେବେ ସହାୟତା ନେଇ ନିଜର ବଡ଼ ଭଉଣୀ ହିଁ ତାଙ୍କ ପ୍ରେରଣା ବୋଲି ସେ ପ୍ରକାଶ କରିଛନ୍ତି ।


ଏହି ୧୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କାର୍ଯ୍ୟକ୍ରମ ଡ. ପଣ୍ଡାଙ୍କ ବାସ ଭବନରେ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଡ. ପଣ୍ଡାଙ୍କ ବଡ଼ ଭଉଣୀ ଡାକ୍ତର ନାରାୟଣୀ ପଣ୍ଡା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ, ପ୍ରଫେସର ସମିତା ଆଚାର୍ଯ୍ୟ, ପ୍ରଫେସର ପବିତ୍ର ମୋହନ ବେହେରା ଓ ‘ମୋ କଲେଜ’ ସଂଯୋଜକ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସହାୟତା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଡ. ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *