Rising Utkal
ବଢ଼ିବାରେ ଲାଗିଛି ଭାରତୀୟ କୁସ୍ତି ମହାସଂଘର ବିବାଦ | ନିକଟରେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇଥିବା ଭାରତୀୟ କୁସ୍ତି ମହାସଂଘର ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ହେବା ନେଇ ବିବାଦ ବଢ଼ିବାରେ ଲାଗିଛି | ଏହାକୁ ନେଇ କୁସ୍ତି ଯୋଦ୍ଧାମାନେ ପ୍ରତିବାଦ କରୁଛନ୍ତି | ଏଭଳି ସ୍ଥିତିରେ କ୍ରୀଡ଼ା ମନ୍ତ୍ରଣାଳୟ ଡିସେମ୍ବର ୨୪ରେ ଏକ ବଡ଼ ନିଷ୍ପତ୍ତି ନେଇ ନୂଆ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଛି | ତେବେ କେନ୍ଦ୍ର ସରକାର ଭାରତୀୟ ଅଲିମ୍ପିକ ସଂଘକୁ କୁସ୍ତି ସଂଘ ପରିଚାଳନା ପାଇଁ ଏକ ପ୍ୟାନେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ତଥ୍ୟାନୁସାରେ,ଚଳିତ ବର୍ଷ ଜାନୁଆରୀରେ ସାକ୍ଷୀ ମଲିକ, ଭିନେଶ ଫୋଗାଟଙ୍କ ସମେତ ଅନେକ ମହିଳା କୁସ୍ତିଯୋଦ୍ଧା ମାନେ ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ | ଏହାଛଡା ବଜରଙ୍ଗ ପୁନିଆଙ୍କ ସମେତ ଅନେକ ପୁରୁଷ କୁସ୍ତିଯୋଦ୍ଧା ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ | ଏହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ |
ଏପରି ସ୍ଥିତିରେ ଡ଼ିସେମ୍ବର ୨୧ତାରିଖରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ବ୍ରଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ନୂଆ ମୁଖ୍ୟ ନିର୍ବାଚିତ ହୋଇଥିଲେ | ମାତ୍ର ଏହାକୁ ତୀବ୍ର ବିରୋଧ କରିବା ସହ କେତେଜଣ କୁସ୍ତିଯୋଦ୍ଧା ନିଜର ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିଥିଲେ | ଏହି ବିବାଦ ପରେ ରବିବାର କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ସଂଘକୁ ନିଲମ୍ବିତ କରିଛି | ତେବେ ସମ୍ପୃକ୍ତ ନିଷ୍ପତି ପରେ ବିବାଦ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #RisingUtkal #wrestlingfederationofindia #presidentofwrestlingfederationofindia #wrestlingfederationindianews

