କୃଷି ଓ କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୦୯.୧୧.୨୦୨୩: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ’ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଯୁବାଙ୍କୁ ଅଧିକ କୁଶଳୀ ଗଢିବା ତଥା ଆତ୍ମନିଯୁକ୍ତି ତାଲିମ୍ ଯୋଗାଇବା ନିମନ୍ତେ ଏହି ବୁଝାମଣା ହୋଇଛି । ‘ଏସ.ଏସ.ୟୁ.’ର ଆଜୀବନ ସଭାପତି ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଏବଂ ‘ଏସ.ଏସ.ୟୁ.’ର ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣି ଉପସ୍ଥିତ ରହି ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ।

ସମ୍ପୃକ୍ତ ବୁଝାମଣା ଜରିଆରେ ‘ମୋ କଲେଜ’ ଅଧିନରେ ରହିଥିବା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ଉଦ୍ୟୋଗୀ ସେଲ (ଇ-ସେଲ)’ ଗଢାହେବ । ଏହି ସେଲ ଆତ୍ମ ନିଯୁକ୍ତି ସୃଷ୍ଟି ତଥା କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍ ନେଇ ବିଦ୍ୟାର୍ଥୀଙ୍କୁ ତାଲିମ୍ ଯୋଗାଇବ । ଏନେଇ ପ୍ରଥମେ କେତେଜଣ ବିଦ୍ୟାର୍ଥୀ ଓ ଷ୍ଟାଫ୍ ସଂଯୋଜକ/ ସଂଯୋଜିକାଙ୍କୁ ଚୟନ କରାଯିବ । ପରେ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ତାଲିମ୍ (ଟ୍ରେନିଙ୍ଗ୍ ଅଫ ଟ୍ରେନର୍ସ) ଯୋଗାଇ ଦିଆଯିବ । ସେଲ୍ର ତାଲିମପ୍ରାପ୍ତ କର୍ମକର୍ତ୍ତାମାନେ ନିୟମିତ ବ୍ୟବଧାନରେ ଆତ୍ମନିଯୁକ୍ତି ସମ୍ପର୍କିତ କାର୍ଯ୍ୟକ୍ରମ, କର୍ମଶାଳା ଓ ଆଲୋଚନାଚକ୍ର ଆଦି ଆୟୋଜନ କରିବେ । କ୍ରମଶଃ ଏହି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାକୁ ବ୍ୟାପିବ ଏବଂ ଏହା ରାଜ୍ୟର ଉଚ୍ଚ ଶିକ୍ଷା ଓ ‘ଷ୍ଟାର୍ଟ-ଅପ୍’ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ।

ଏହି ଅବସରରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଛନ୍ତି ଯେ, ଏହି ବୁଝାମଣା ଜରିଆରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ଉଦ୍ୟୋଗୀ ସେଲ’ ଗଢା ହେବ । ସମ୍ପୃକ୍ତ ସେଲ ନୂଆ ଉଦ୍ୟୋଗୀ ସୃଷ୍ଟି ନେଇ ତତ୍ତ୍ୱାବଧାନ ଯୋଗାଇବ । ବିଶେଷ କରି ସେଲର କର୍ମକର୍ତ୍ତାମାନେ କୃଷି ଓ କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍ ଉପରେ ଅଧିକ ଗୁରୁତ୍ୱ ଦେବେ । ଅନୁରୂପ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମି ମଜବୁତ ହେବ । ଫଳରେ ଅଧିକରୁ ଅଧିକ ଆଗ୍ରହୀ ବିଦ୍ୟାର୍ଥୀ ଆତ୍ମନିଯୁକ୍ତି ଜ୍ଞାନକୌଶଳ ଆହରଣ କରିପାରିବେ । ସେହିପରି ‘ଏସ.ଏସ.ୟୁ.’ର ସଭାପତି ପ୍ରଫେସର କୁଲକର୍ଣ୍ଣି କହନ୍ତି, ବୁଝାମଣାକୁ ସଫଳ କରିବା ନିମନ୍ତେ ଉଭୟ ଅନୁଷ୍ଠାନର ପାରସ୍ପରିକ ସହଯୋଗ ରହିବ । ଯାହା ଆତ୍ମନିଯୁକ୍ତି ଓ ‘ଷ୍ଟାର୍ଟ-ଅପ୍ ଓଡ଼ିଶା’କ୍ଷେତ୍ରରେ ନୂଆ ଦିଶା ଦେଖାଇବ । ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ‘ଏସ.ଏସ.ୟୁ’ର ପ୍ରଫେସର ଆର.ଏନ ଶତପଥୀ, ଡ. ବରଦା ପ୍ରସାଦ ପାଣିଗ୍ରାହୀ ଏବଂ ‘ମୋ କଲେଜ’ର ଆଦିତ୍ୟ ଚୌଧୁରୀ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

