ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ କର୍ମଚାରୀ
ବାହାନଗା,୩୧।୧୦: ଜୁନ ୨ରେ ବାଲେଶ୍ଵର ବାହାନଗା ଠାରେ ୩ ଗୋଟି ଟ୍ରେନ ମଧ୍ୟରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା। ପରେ ନିଲାମ ହୋଇଛି ଦୁର୍ଘଟଣାଗ୍ରସ୍ଥ ୨୧ ଗୋଟି ରେଳଡ଼ବା ଓ ଇଞ୍ଜିନ। ତେବେ ନିଲାମ ନେଇଥିବା କମ୍ପାନୀ ପକ୍ଷରୁ ରେଳଡବା କାଟି ସ୍ଥାନାନ୍ତରଣ ପ୍ରକ୍ରିୟା ବେଳେ ରେଳ ଡ଼ବାରେ ନିଆଁ ଲାଗିଛି। ଏହାକୁ ଆୟତ୍ତ କରାଯାଇଥିବା ବେଳେ ଅଳ୍ପକେ ଅଗ୍ନିଶମ ବାହିନୀ ବିପଦରୁ ବର୍ତ୍ତିଛନ୍ତି।

ସୂଚନା ମୁତାବକ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୫ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ବି ଅନେକ ଯାତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଭୟଙ୍କର ଦୁର୍ଘଟଣାକୁ ସ୍ଥାନୀୟ ଲୋକଙ୍କ ମନରୁ ଲିଭାଇବା ପାଇଁ ଦୁର୍ଘଟଣାଗ୍ରସ୍ଥ ୨୧ ଗୋଟି ରେଳଡବା ସହ ଇଞ୍ଜିନ କୁ ବିକ୍ରି ପାଇଁ ଟେଣ୍ଡର ଆହ୍ୱାନ କରିଥିଲା ରେଳବିଭାଗ। ଟେଣ୍ଡର ପରେ ପଶ୍ଚିମବଙ୍ଗର ମୋହିତ ଷ୍ଟିଲ ନାମକ କମ୍ପାନୀ ୩ କୋଟି ୮୨ ଲକ୍ଷ ଟଙ୍କାରେ ଟେଣ୍ଡର ପାଇ କିଣିଥିଲା । ପରେ କମ୍ପାନୀ ପକ୍ଷରୁ କର୍ମଚାରୀ ମାନେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ରେଳ ଡବାକୁ କାଟି ସ୍ଥାନାନ୍ତର କରୁଛନ୍ତି । ତେବେ ସୋମବାର ଅପରାହ୍ନରେ ମୋହିତ ଷ୍ଟିଲ କମ୍ପାନୀର କର୍ମଚାରୀ ମାନେ ରେଳଡବା କାଟୁଥିବା ସମୟରେ ବଗି ଭିତରେ ଲୁଗା ଏବଂ ଆସବାପତ୍ରରେ ନିଆଁ ଲାଗିଥିଲା। କ୍ରମେ ନିଆଁ ସମ୍ପୂର୍ଣ୍ଣ ବଗିରେ ବ୍ୟାପିବା ସହ ହୁତୁହୁତୁ ହୋଇ ଜଳିଥିଲା।

ଖବରପାଇ ବାହାନଗା ଷଠୀ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁର ପ୍ରକୋପରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଅଗ୍ନିଶମ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟପଟେ ଦୁର୍ଘଟଣା ପରେ ସଠିକ ଯାଞ୍ଚ ହୋଇନଥିବାରୁ ଅନେକ ଯାତ୍ରୀଙ୍କ ଲୁଗା ଏବଂ ବ୍ୟାଗ ପଡ଼ିରହିଛି। ରେଳବିଭାଗ ସଠିକ ଯାଞ୍ଚ କରିଥିଲେ ହୁଏତ ଅନେକ ଯାତ୍ରୀ ନିଜ ନିଜର ଜିନିଷପତ୍ର ଫେରି ପାଇବା ସହ ଶବ ଚିହ୍ନଟ ହୋଇପାରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇ ପାରିଥାନ୍ତା ବୋଲି ସ୍ଥାନୀୟବାସୀ ପ୍ରକାଶ କରିଛନ୍ତି।
ରିପୋର୍ଟ: ରୁଚିକ ରଞ୍ଜନ ମହାପାତ୍ର
ରାଇଜିଂ ଉତ୍କଳ

