ଭୁବନେଶ୍ୱର: ପୁଣି କାୟା ବିସ୍ତାର କରିବ କି କୋଭିଡ୍ ? ନୂଆ ଭାରିଆଣ୍ଟ JN.1 ଅଧିକାଂଶ ରାଜ୍ୟରେ ସଂକ୍ରମଣ କରୁଥିବାରୁ ବଢୁଛି ଚିନ୍ତା । ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ କୋରୋନାର ଯେ କୌଣସି ଭାଇରସର ନୂଆ ଭାରିଆଣ୍ଟ ଆସିଲେ, ସେଥିରେ ସଂକ୍ରମଣ ହାର ବଢ଼ିଥାଏ କିନ୍ତୁ ଜଟିଳତା କମ୍ ରହିଥାଏ । ତେଣୁ ଏହି ନୂଆ ଭାରିଆଣ୍ଟକୁ ଲୋକମାନେ ଆତଙ୍କିତ ନ ହୋଇ କୋଭିଡ୍ ନିୟମ ଅନୁପାଳନ କରିବା ଜରୁରୀ । ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି, ସେମାନେ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅଧିକ ଟେଷ୍ଟିଂ ସହ ସର୍ଭେଲାନ୍ସ ବଢାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ କୁହାଯାଇଛି । ଲୋକମାନେ ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖନ୍ତୁ ।
ସାରା ଦେଶରେ କୋରୋନା ନୂଆ ଭାରିଆଣ୍ଟର ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୯୭ରେ ପହଞ୍ଚିଛି । ସବୁଠୁ ଉଦବେଗଜନକ ସ୍ଥିତି ରହିଛି କେରଳରେ । କେରଳରେ ଗତ ୨୪ ଘଣ୍ଟାରେ ୨୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍ ଛୁଇଁଛି ୨୬୦୬ । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯଦିଓ ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଆଗକୁ ଏହା ବଢ଼ିବା ଆଶଙ୍କା କରାଯାଉଛି । କାରଣ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି । କେରଳ ସହିତ କର୍ଣ୍ଣାଟକ, ତାମିଲନାଡୁ, ଗୋଆ, ୟୁପି, ଛତିଶଗଡ଼, ଗୁଜରାଟ, ଆନ୍ଧ୍ର, ତେଲଙ୍ଗନା, ପୁଡୁଚେରୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡ୍ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଦରକାର ହେଲେ ରାଜ୍ୟରେ ଟେଷ୍ଟିଂ ସେଣ୍ଟର ବଢ଼ାଯିବ । ସେଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ବାଧ୍ୟତାମୂଳକ କରିବାକୁ ଗାଇଡଲାଇନ ଆସି ନ ଥିଲେ ମଧ୍ୟ ଲୋକମାନେ ମାସ୍କ ଅଭ୍ୟାସ ଜାରି ରଖିବା ଦରକାର । ଯଦିଓ ଓଡ଼ିଶାରେ ନୂଆ ଭାରିଆଣ୍ଟ ସଂକ୍ରମଣ ହୋଇନାହିଁ, ତଥାପି ସର୍ଭେଲାନ୍ସ ବଢ଼ାଇବା ସହ ସତର୍କ ରହିବା ପାଇଁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। ସାରା ଦେଶରେ ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ମଧ୍ୟରୁ ୯୮%ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। କ୍ବଚିତ୍ ସଂକ୍ରମିତ ସିଭିଅର ହେଉଛନ୍ତି । ତେଣୁ କୋରୋନା ନୂଆ ଭାରିଆଣ୍ଟକୁ ନେଇ ଆତଙ୍କତି ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସଚେତନ ଓ ସତର୍କ ରହିଲେ ସୁସ୍ଥ ରହିବା। କୋଭିଡ୍ ନିୟମ ଅନୁପାଳନ କରିବା ସହ ଆତଙ୍କିତ ନ ହୋଇ ସଠିକ୍ ସମୟରେ ଚିକିତ୍ସା କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

