ଶୁଭଙ୍କର ଜେନା , ସାମ୍ୱାଦିକ
ଉପନ୍ୟାସ ‘ଶିକ୍ଷିତା ପତିତାର ଆତ୍ମଚରିତ’ର ମୂଳ ଲେଖିକା ହେଉଛନ୍ତି ମାନଦା ଦେବୀ। ଏହି ଉପନ୍ୟାସ ବଙ୍ଗଳା ଭାଷାରେ ପ୍ରଥମେ ୧୯୨୯ ମସିହାରେ ପ୍ରକାଶ ପାଇଥିଲା। ଏହାପରେ ଇଂରାଜୀ ଓ ହିନ୍ଦୀରେ ଏହି ପୁସ୍ତକର ଅନୁବାଦ କରାଯାଇଛି। ୨୦୨୧ ରେ ଏହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ବସନ୍ତ କୁମାର ପାଳ। ଏହା ଏକ ଆତ୍ମଜୀବନୀ ପୁସ୍ତକ। ଲେଖିକା ନିଜେ ତାଙ୍କ ଜୀବନ ବୃତାନ୍ତକୁ ବର୍ଣ୍ଣନା କରିଛନ୍ତି। କେଉଁଭଳି ଭାବେ ଏକ ସମ୍ଭ୍ରାନ୍ତ ପରିବାରୁ ଜନ୍ମ ହୋଇ ଗଣିକା ବୃତ୍ତିକୁ ଆପଣାଇଥିଲେ ଏହାକୁ ଅତ୍ୟନ୍ତ ଦୁଃସାହାସିକ ଭାବେ ବର୍ଣ୍ଣନା କରିଛନ୍ତି ମାନଦା ଦେବୀ । ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ଏପରି ବୃତ୍ତିକୁ ଆପଣେଇବାର କାରଣ ସବୁ ଲେଖିଛନ୍ତି। ପିଲାବେଳେ ଜେଜେଙ୍କ ଭଲ ପାଇବା ଏବଂ ମା’ ଙ୍କ ମୃତ୍ୟୁ ପରର ଦୁଃଖ, ପରବର୍ତ୍ତି ସମୟରେ ବାପାଙ୍କ ଦ୍ୱିତୀୟ ବିବାହ କିପରି ତାଙ୍କୁ ବିପଥଗାମୀ କରାଇଥିଲା ଏସବୁକୁ ଚମତ୍କାର ଢ଼ଙ୍ଗରେ ବର୍ଣ୍ଣନା କରିଛନ୍ତି।
ଏହି ପସ୍ତକ ଟି ଆଜିର ଯୁବ ପିଢ଼ିଙ୍କ ପାଇଁ ଖୁବ୍ ଉପାଦେୟ। ବିଶେଷ କରି ଅଭିଭାବକଙ୍କ ପାଇଁ ଏଭଳି ଲେଖା ପଢ଼ିବାର ଆବଶ୍ୟକତା ରହିଛି। ମାନଦା ଦେବୀ ତାଙ୍କ ପରିବାର ଓ ବାପାଙ୍କୁ ଅନେକାଂଶରେ ଦୋଷ ଦେଇଛନ୍ତି। ନାରୀ ସ୍ୱାଧିନତା ଓ ନାରୀ ମୁକ୍ତି ଆଳରେ ତାଙ୍କ ବାପା ଯେଉଁ ସ୍ୱାଧିନତା ଦେଇଥିଲେ ତାହା ତାଙ୍କୁ କିପରି ପଥଭ୍ରଷ୍ଟ କରାଇଥିଲା ସେଗୁଡ଼ିକୁ ବର୍ଣ୍ଣନା କରିଛନ୍ତି। ଜଣେ ଛୋଟ ଶିଶୁର ଦାନ୍ତ ଉଠିବା ସମୟରେ ମାଂସ ଖାଇବାକୁ ଦେବା ଯାହା, କିଶୋର/କିଶୋରୀ ଅବସ୍ଥାରେ ଜଣେ ପିଲାଙ୍କୁ ଅତ୍ୟନ୍ତ ସ୍ୱାଧିନତା ଦେବାର ପରିଣତି ସେମିତି ହୋଇଥାଏ ବୋଲି ମାନବା ଦେବୀ ପୁସ୍ତକରେ ବର୍ଣ୍ଣନା କହିଛନ୍ତି।
ଲେଖିକା ତାଙ୍କ ପୁସ୍ତକରେ ଆହୁରି କହିଛନ୍ତି, କିଶୋର ଅବସ୍ଥାରେ ଅନେକ ବଡ଼ ବଡ଼ ଲେଖକଙ୍କ ଉପନ୍ୟାସ ପଢ଼ିବା ତାଙ୍କୁ ଗର୍ବୀ କରାଇଥିଲା। ଏହା ସହ ଯୌନ କୈନ୍ଦ୍ରିକ ଉପନ୍ୟାସ ପଢ଼ିବା ଦ୍ୱାରା କେଉଁଭଳି କିଶୋରୀ ଅବସ୍ଥାରେ ଯୌନ କ୍ଷୁଦ୍ଧା ବଢ଼ିଥିଲା ସେଗୁଡ଼ିକୁ ବର୍ଣ୍ଣନା କରିଛନ୍ତି। ଶେଷରେ ସେ ଲେଖିଛନ୍ତି, ଗଣିକା ବୃତ୍ତି ଆପଣାଇବା ପରେ କେଉଁ ଭଳି ଭାବେ ଭଦ୍ରମୂଖା ପିନ୍ଧିଥିବା ଲୋକମାନେ କାମାଶକ୍ତ ହେଉଛନ୍ତି ତାହା ତାଙ୍କୁ ତାଜୁବ କରାଇଥିଲା। ଯାହାଙ୍କୁ ସେ ଆଦର୍ଶ ବୋଲି ଭାବୁ ଥିଲେ ସେ ମଧ୍ୟ ଜଣେ ବେଶ୍ୟାର ସାନ୍ନିଧ୍ୟ ପାଇଁ କେଉଁଭଳି ପାଗଳ ହେଉଥିଲେ ତାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି।
ନିଶ୍ଚିତ ଭାବେ ଏହି ପୁସ୍ତକଟିକୁ ପଢ଼ନ୍ତୁ। ଜଣେ ଲେଖିକା କେଉଁପରି ଭାବେ ନିଜ ଜୀବନର ନିଚ୍ଛକ ସତକୁ ବର୍ତ୍ତନନା କରିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏବଂ ସବୁଠାରୁ ବଡ଼ କଥା ହେଉଛି ଆଜିର ଯୁବ ପିଢ଼ି ଏବଂ ଅଭିଭାବକଙ୍କ ପାଇଁ ଏହି ପୁସ୍ତକ ଅତ୍ୟନ୍ତ ଉପାଦେୟ। ତେବେ ଏହି ପୁସ୍ତକର ଲେଖିକା ମାନଦା ଦେବୀଙ୍କ ପରିଚୟକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପୁସ୍ତକ ପ୍ରଥମ ପ୍ରକାଶନ ପାଇବା ପରେ ଲେଖିକାଙ୍କ ଲେଖାକୁ ନେଇ ବିବାଦ ଦେଖାଯାଇଛି। କେହି କେହି ଯୁକ୍ତି କରିଛନ୍ତି ଯେ ଏହି ପୁସ୍ତକର ପ୍ରକୃତ ଲେଖିକା ହେଉଛନ୍ତି ଜଣେ ପୁରୁଷ। ହେଲେ ମାନଦା ଦେବୀ ନିଜେ ଏହି ପୁସ୍ତକ ଲେଖିଥିବାର ଅନେକ ପ୍ରମାଣ ରହିଛି।

