ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍’ ସୃଷ୍ଟି ହୋଇଛି | ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି | ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ ଗତି କରୁଛି | ବର୍ତ୍ତମାନ ପାରାଦୀପ ଠାରୁ ୨୧୦ କିମି ଦୂରରେ ରହିଛି ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହାମୁନ୍’ | ତେବେ ୨୫ ତାରିଖ ସନ୍ଧ୍ୟାରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ | ସ୍ଥଳଭାଗ ଅତିକ୍ରମ ବେଳେ ଗଭୀର ଅବପାତ ହୋଇ ସାରିଥିବ |

ବଙ୍ଗୋପସାଗରରେ ‘ହାମୁନ’ ଓ ଆରବ ସାଗରରେ ‘ତେଜ’ ସକ୍ରିୟ ରହିଛି | ୨୦୧୮ ପରେ ଏହି ଦୁଇ ସାଗରରେ ଏକକାଳୀନ ଟ୍ବିନ୍ ବାତ୍ୟା ସକ୍ରିୟ ରହିଛି | ବାତ୍ୟା ପାଇଁ ପାରାଦୀପ ଓ ଧାମରା ପାଇଁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି | ତେବେ ଏହାଦ୍ୱାରା ଓଡ଼ିଶାକୁ ବାତ୍ୟା ବିପଦ ନ ଥିବା ନେଇ ଇଣ୍ଡିଆ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମଡି) ସୂଚନା ଦେଇଛି | ଅନ୍ୟାପକ୍ଷରେ ବାତ୍ୟା ‘ହାମୁନ୍’ ପ୍ରଭାବରେ ୨୬ ଯାଏ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି | ରାଜଧାନୀ ଭୁବନେଶ୍ବର ସମେତ କେତେକ ଜିଲ୍ଲାରେ ହାଲକା ବର୍ଷା ସହ ପାଗ କୋହଲା ରହିଛି | ଆହୁରି ୩ ଦିନ ଏପରି ପାଗ ରହିବ ବୋଲି ଆକଳନ କରାଯାଉଛି |

ବାତ୍ୟା ଫଳରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ | ଝଟକା ପବନ ୬୫ କିଲୋମିଟର ଛୁଇଁବ | ୨୪ ତାରିଖ ବେଳକୁ ଘଣ୍ଟା ପ୍ରତି ୫୫ରୁ ୬୦ କି.ମି ଏବଂ ଝଟକା ପବନ ୭୦ କିଲୋମିଟର ରହିବ | ଅଳ୍ପ ପବନରେ କୌଣସି ବଡ଼ କ୍ଷତି ନହେଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ପୂଜା ପେଣ୍ଡାଲ ଓ ତୋରଣ କ୍ଷତି ପହଁଞ୍ଚିବା ଭଳି ସମସ୍ୟା ଉପୁଜିପାରେ |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

