ବୈଜ୍ଞାନିକଙ୍କ ଚେତାବନୀ, ମାଡ଼ି ଆସୁଛି ଏଲ୍ ନିନୋ

ମାଡ଼ି ଆସୁଛି ଘୋର ସଙ୍କଟ । ଖୁବଶୀଘ୍ର ଆସିପାରେ ପ୍ରଳୟ । ଏନେଇ ବୈଜ୍ଞାନିକମାନେ ଦେଇଛନ୍ତି ଚେତାବନୀ । ଆଗକୁ ଆସିପାରେ ଏଲ୍ ନିନୋ । ଏଥିରେ ପୃଥିବୀ ଧ୍ୱଂସ ପାଇଯିବାର ରହିଛି ସମ୍ଭାବନା। ଫଳରେ ଏହାକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତାରେ। ଏନେଇ ଆମେରିକାର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର ବା କ୍ଲାଇମେଟ୍ ପ୍ରେଡିକ୍ସନ ସେଣ୍ଟର କହିଛି ଯେ ‘ସୁପର ଏଲ୍ ନିନୋ’ର (El Nino) ପ୍ରଭାବ ଆସନ୍ତା ବର୍ଷ ସମଗ୍ର ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଇପାରେ। ଏକ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଏଲ ନିନୋ ବହୁତ ଶକ୍ତିଶାଳୀ ହେବାର ୭୫-୮୫ ପ୍ରତିଶତ ଆଶଙ୍କା ରହିଛି। ଏହି କାରଣରୁ, ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଭୂମଧ୍ୟ ରେଖାବର୍ତ୍ତୀ ସମୁଦ୍ରର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଜଳବାୟୁ ପୂର୍ବାନୁମାନ କେନ୍ଦ୍ରର କହିବା ମୁତାବକ ଏହି ସୁପର ଏଲ୍ ନିନୋ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିବ । ଏଥି ଯୋଗୁଁ ସମଗ୍ର ବିଶ୍ୱର ପାଣିପାଗ ଢାଞ୍ଚା ପ୍ରଭାବିତ ହେବ। ସମସ୍ତ ପ୍ରକାର ବିପର୍ଯ୍ୟୟ ଆସିବାର ମଧ୍ୟ ଆଶଙ୍କା କରାଯାଉଛି। ବୈଜ୍ଞାନିକଙ୍କ ଅନୁସାରେ ୩୦ ପ୍ରତିଶତ ସମ୍ଭାବନା ଅଛି ଯେ ଏହି ଏଲ୍ ନିନୋ ହେତୁ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯେଉଁଥିପାଇଁ ପ୍ରବଳ ଗରମ ବଢ଼ିବ। ଏହା ବ୍ୟତୀତ ମରୁଡ଼ି ଏବଂ ବନ୍ୟା ପରି ବିପର୍ଯ୍ୟୟ ଘଟିପାରେ। ତେବେ ଏହିପରି ଏକ ଏଲ୍ ନିନୋ ୮ ବର୍ଷ ପୂର୍ବେ ଆସିଥିଲା । ୧୯୯୭-୯୮ ଏବଂ ୨୦୧୫-୧୬ ବର୍ଷରେ ମଧ୍ୟ ସମାନ ଧରଣର ସୁପର ଏଲ୍ ନିନୋ ଆସିଥିଲା। ଏହାପରେ ପରେ ତାପମାତ୍ରା ବୃଦ୍ଧି ପାଇଥିଲା ଏବଂ ଅନେକ ଦେଶରେ ମରୁଡ଼ି ସମସ୍ୟା ଦେଖାଯାଇଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଏକ ‘ପାଣିପାଗ ସମ୍ପର୍କିତ ଚ୍ୟାନେଲ’ ଅନୁଯାୟୀ, ଏହି ଏଲ୍ ନିନୋ ପରେ ବର୍ଷା ଏବଂ ସମ୍ଭବତଃ ଶୀତର ତାପମାତ୍ରା ମଧ୍ୟ ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି।

ତେବେ ଏଲ୍ ନିନୋ କେଉଁ ଦେଶ ଅଧିକ ପ୍ରଭାବିତ କରିବ ସେ ନେଇ ମଧ୍ୟ ତଥ୍ୟ ଜଣାପଡ଼ିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ଏଲ୍ ନିନୋର ପ୍ରଭାବ ବିଶ୍ୱ ଅର୍ଥନୀତି ଏବଂ କୃଷି ଉପରେ ଦୃଶ୍ୟମାନ ହେବ। ଅନେକ ଦେଶରେ ଫସଲ ଉତ୍ପାଦନ ଉପରେ ନକାରାତ୍ମକ ପ୍ରଭାବ ଦେଖାଯାଇପାରେ। ଦକ୍ଷିଣ ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶ ଅଧିକ ପ୍ରଭାବିତ ହୋଇପାରନ୍ତି ।

ଅନ୍ୟପଟେ ଭାରତ ଉପରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ମଧ୍ୟ ଅନୁମାନ କରାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆମେ ଭାରତର ପ୍ରସଙ୍ଗକୁ ଦେଖିବା, ସେଠାରେ ଅନେକ ସ୍ଥାନ ଅଛି ଯେଉଁଠାରେ ଜଳ ସଙ୍କଟ ଦେଖାଦେଇଛି ଏବଂ ଆଉ କିଛି ସ୍ଥାନରେ ଜଳସେଚନ ପାଇଁ କୌଣସି ଜଳ ଉପଲବ୍ଧ ନାହିଁ। ଏଭଳି ପରିସ୍ଥିତିରେ ଏଲ୍ ନିନୋ ଇଫେକ୍ଟ ଯୋଗୁଁ ମରୁଡ଼ି ସମସ୍ୟା ଉପୁଜିପାରେ। ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇପାରେ। ଭାରତରେ ସୁପର ଏଲ୍ ନିନୋର ପ୍ରଭାବ ସ୍ୱାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହି ଏଲ୍ ନିନୋକୁ ଭୟ କରାଯାଉଥିବା ସମୟ ହେଉଛି ଉତ୍ତର ପୂର୍ବ ମୌସୁମୀର ସମୟ । ଯାହା ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରହିପାରେ । ପାଣିପାଗ ବିଭାଗ କହିଛି ଯେ ଏହି ଏଲ୍ ନିନୋ ସତ୍ତ୍ବେ ଦକ୍ଷିଣ ଭାରତରେ ସାଧାରଣ ବର୍ଷା ହୋଇପାରେ।

ତେବେ ଏହି ଏଲ୍ ନିନୋ କ’ଣ? କାହିଁକି ଏହା ଏତେ ପ୍ରଭାବୀ ?

ସରଳ ଭାଷାରେ କହିଲେ, ଏଲ୍ ନିନୋ ପ୍ରକୃତିକୁ ପ୍ରଭାବିତ କରୁଥିବା ଏକ ପ୍ରକାରର ଝଡ଼ । ଏହାର ପ୍ରଭାବରେ ତାପମାତ୍ରା ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଯେତେବେଳେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହୋଇଯାଏ, ସେତେବେଳେ ଏଲ୍ ନିନୋର ପ୍ରଭାବ ଦୃଶ୍ୟମାନ ହୁଏ। ଫଳରେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ବଢ଼ିବା ସହିତ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଉଷ୍ମ ଜଳ ପୂର୍ବ ଦିଗକୁ ଗତି କରି ଭାରତ ଉପରେ ପ୍ରଭାବ ପକାଇଥାଏ। ଏହା ସହିତ ଏଲ୍ ନିନୋ କାରଣରୁ ଅତ୍ୟଧିକ ଉତ୍ତାପ ଅନୁଭୂତ ହୋଇଥାଏ। ତେବେ ଆଗକୁ ଏହା କେତେ ମାତ୍ରାରେ ସତ ହେଉଛି ତାହା ଆଗକୁ ଜଣାପଡ଼ିବ ।

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *