ସରକାରଙ୍କ ସମର୍ଥନରେ ବାଲେଶ୍ୱର ବସ ମାଲିକ ସଂଘ || “ଲକ୍ଷ୍ମୀ” ବସ ପ୍ରସଙ୍ଗରେ ରାଜ୍ୟ ସଂଘକୁ ଘେରିଲା

ଫାଳ ଫାଳ ବସ ମାଲିକ ସଂଘ

ଭୁବନେଶ୍ୱର,୨୬|୧୦: “ଲକ୍ଷ୍ମୀ” ବସ ଚଳାଚଳ ପ୍ରସଙ୍ଗକୁ ନେଇ ଘରୋଇ ବସ ମାଲିକ ସଂଘ ଦୁଇଫାଳ ହୋଇଛି | ରାଜ୍ୟ ସଂଘକୁ ସମର୍ଥନ କରିବା ପରିବର୍ତ୍ତେ ବାଲେଶ୍ଵର ବସ ମାଲିକ ସଂଘ ଓଲଟା ସରକାରଙ୍କୁ ସମର୍ଥନ ଜଣାଇଛି | ସରକାରଙ୍କ ସହ ଆଲୋଚନା କରି ରାଜ୍ୟ ସଂଘ ନୀତିଗତ ନିଷ୍ପତ୍ତି ନେଲେ ତାହାକୁ ସମର୍ଥନ ଦିଆଯିବ ବୋଲି ଖୋଲମଖୋଲା ଶୁଣାଇ ଦେଇଛି |

ବାଲେଶ୍ଵର ବସ ମାଲିକ ସଂଘର ସଭାପତି ବାଦଲ ଦାସ ରାଜ୍ୟ ସଂଘ ନିଷ୍ପତ୍ତିକୁ ବିରୋଧ କରିଛନ୍ତି | ସେ କହିଛନ୍ତି ଯେ, ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କରିବା ଅନୁଚିତ | “ଲକ୍ଷ୍ମୀ” ଯୋଜନାରେ ସରକାର ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ରିହାତି ଦରରେ ବସ ସେବା ଯୋଗାଇବେ | ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ | ଏହାକୁ ଆମେ ବିରୋଧ କରିପାରିବୁ ନାହିଁ | ଏବଂ ଏହାଦ୍ୱାରା ଘରୋଇ ବସଗୁଡ଼ିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ଦାସ ମନ୍ତବ୍ୟ ଦେଇଛନ୍ତି |

ପ୍ରକାଶ ଥାଉକି, ବୈଠକ ନେଇ ଉଭୟ ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ବାଲେଶ୍ଵର ବସ ମାଲିକ ସଙ୍ଘକୁ ସରକାର ଡାକିଥିଲେ | ତେବେ ଏଥିରେ ରାଜ୍ୟ ସଂଘ ବାଲେଶ୍ଵର ସଙ୍ଘର ଉପସ୍ଥିତିକୁ ବିରୋଧ କରିଥିଲା | ଫଳରେ ବାଲେଶ୍ୱର ସଂଘ ନିଜର ନିଷ୍ପତ୍ତି ସରକାରଙ୍କ ସାମ୍ନାରେ ରଖି ବାହାରିବା ପରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛି |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *