ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ନାବଦା ଗ୍ରାମରେ ଅଘଟଣ ଘଟିଛି | ବିଷାକ୍ତ ନାଗ ସାପ କାମୁଡ଼ାରେ ପାଞ୍ଚ ବର୍ଷର ନାବାଳକ ଅକାଳରେ ଝଡ଼ି ପଡ଼ିଛି । ସୂଚନା ମୁତାବକ, ବୁଧବାର ସକାଳେ ଭବେନ୍ଦ୍ର ପାତ୍ରଙ୍କ ପାଞ୍ଚ ବର୍ଷର ପୁଅ ସ୍ବରାଜ ପାତ୍ର ଘର ଅଗଣାରେ ଖେଳୁଥିଲେ | ଏହି ସମୟରେ ତାଙ୍କୁ ସର୍ପାଘାତ ହୋଇଥିଲା। ମାତ୍ର ସ୍ବରାଜ ଜାଣି ପାରିନଥିଲେ। ଘର ଲୋକ ସ୍ବରାଜର ଗୋଡ଼ରେ ଯନ୍ତ୍ରଣା ଓ ରକ୍ତ ବାହାରୁଥିବାରୁ ସ୍ବରାଜକୁ କାରଣ ପଚାରି ବୁଝିଥିଲେ।
ସ୍ବରାଜ କ’ଣ ଗୋଟେ ଗୋଡ଼ରେ କାମୁଡି ଦେଇଥିବା କହିଥିଲେ। ଫଳରେ ପରିବାର ଲୋକେ ତୁରନ୍ତ ତାଙ୍କୁ ପାଉଁଶକୁଲି ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ ଆସିଷ୍ଟାଣ୍ଟ କର୍ମଚାରୀ ପ୍ରାଥମିକ ଚିକିତ୍ସା ପରେ ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ | ମାତ୍ର ବସ୍ତାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପାଉଁଶକୁଲି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ଅଭିଯୋଗ ହୋଇଛି | ଅନ୍ୟପକ୍ଷରେ ଏନେଇ ବସ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରକହିଛି | ଖବର ପ୍ରକାଶ ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି |
ରିପୋର୍ଟ: ବସ୍ତାରୁ ସେଖ ଆଜାରୁଦ୍ଦିନ
ରାଇଜିଂ ଉତ୍କଳ