ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ଆନୁକୂଲ୍ୟରେ ନିଯୁକ୍ତି ଭିତ୍ତିକ ଜିଲ୍ଲାସ୍ତରୀୟ ତାଲିମ ମିଳିବ | ଏନେଇ ବାଲେଶ୍ଵର ଜିଲ୍ଲାର ୧୨ଗୋଟି ବ୍ଲକରେ ବ୍ଲକସ୍ତରୀୟ ପରାମର୍ଶ ମେଳା ଅନୁଷ୍ଠିତ ହେବ |
ପଞ୍ଚମ ଶ୍ରେଣୀ ପାସ୍ ଏବଂ ତତୁର୍ଦ୍ଧ୍ବ, ସ୍କୁଲ କିମ୍ବା କଲେଜ ପାଠ ପଢା ଛାଡିଥିବା ଅଣନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଏହି ପରାମର୍ଶ ମେଳାରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯିବ | ଉକ୍ତ ବ୍ଲକସ୍ତରୀୟ ପରାମର୍ଶ ଶିବିର ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବ ବୋଲି କାର୍ଯ୍ୟକ୍ରମର ସଂଯୋଜକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମିଶ୍ର କହିଛନ୍ତି |

ବ୍ଲକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରାମର୍ଶ ମେଳା ବ୍ଲକ ପରିସରରେ ଅନୁଷ୍ଠିତ ହେବ | ସିମୁଳିଆରେ ଚଳିତ ମାସ ୧୨ ତାରିଖ, ଖଇରାରେ ୧୩ ତାରିଖ, ଔପଦାରେ ୧୪ ତାରିଖ, ନୀଳଗିରିରେ ୧୫ ତାରିଖ, ବସ୍ତାରେ ୧୬ ତାରିଖ, ରେମୁଣାରେ ୧୮ ତାରିଖ, ଜଳେଶ୍ୱରରେ ୧୯ ତାରିଖ, ଭୋଗରାଇରେ ୨୦ ତାରିଖ, ବାଲିଆପାଳରେ ୨୧ ତାରିଖ, ବାଲେଶ୍ୱର ସଦରରେ ୨୨ ତାରିଖ (ସରକାରୀ ଆଇ.ଟି.ଆଇ ପରିସର ମଧ୍ୟରେ), ସୋରରେ ୨୬ ତାରିଖ ଓ ବାହାନଗାରେ ୨୮ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି | ଏହି ପରାମର୍ଶ ମେଳା ସମ୍ପୃକ୍ତ ଦିନଗୁଡ଼ିକରେ ୧୦ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ |
ପ୍ରକାଶଯୋଗ୍ୟ କି, ଯୋଗ୍ୟ ବିବେଚିତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କୁ ପ୍ରଶିକ୍ଷଣ ସମୟରେ ରହିବା, ଖାଦ୍ୟପେୟ ଓ ପ୍ରଶିକ୍ଷଣ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ | ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀ ପ୍ରାର୍ଥୀନୀମାନେ ନିଜ ଇଛା ମୁତାବକ ଟ୍ରେଡରେ ତାଲିମ୍ ନେଇ ପାରିବେ | ତାଲିମ୍ ପରେ ବିଭିନ୍ନ ଘରୋଇ ଓ ଶିଳ୍ପ ଅନୁଷ୍ଠାନରେ ନିଯୁକ୍ତି ପ୍ରଦାନ କରାଯିବ | ଇଛୁକ ପ୍ରାର୍ଥୀ ପ୍ରାର୍ଥୀନୀ ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋ ସହିତ ନିଜ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ମେଳାରେ ଯୋଗ ଦେଇପାରିବେ |
ରୋପୋର୍ଟ: ରାଇଜିଂ ଉତ୍କଳ

