ଦେଶରେ ୩ ହଜାର ଛୁଇଁଲା କୋଭିଡ ସଂକ୍ରମଣ

ରାଇଜିଂ ଉତ୍କଳ

କ‌ୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ‘ଜେଏନ୍‌.୧’ ଭୂତାଣୁ ଜନିତ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ‌େଳେ ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଛୁଇଁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି |

ସୂଚନାନୁସାରେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି, ଗତକାଲି ୨,୬୬୯ରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨,୯୯୭କୁ ବୃଦ୍ଧି ପାଇଛି | କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବାରୁ ଦେଶରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁ ସଂଖ୍ୟା ୫,୩୩,୩୨୮ରେ ପହଞ୍ଚିଛି | ଦେଶରେ ଏଥିଜନିତ ମୃତ୍ୟୁହାର ୧.୧୮% ବୋଲି ରେକର୍ଡ କରାଯାଇଛି |

ଦେଶର ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି | ସେ ସବୁ ରାଜ୍ୟ ଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲ୍‌ନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଣ୍ଡୁଚେରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଡାଟାରେ ଉଲ୍ଲେଖ କରାଯାଇଛି | ବିହାର ରାଜ୍ୟରେ ଆଉ ୨ଜଣ ସକ୍ରିୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି | ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପ୍ରାୟ ୪,୪୪,୭୦,୮୮୭ ଜଣ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥତା ହାର ୯୮.୮୧%ରେ ରହିଛି | ସେହିପରି, ଏପର୍ଯ୍ୟନ୍ତ ୨୨୦.୬୭ କୋଟି ଡୋଜ୍‌ କୋଭିଡ୍‌-ନିରୋଧୀ ଟିକା ଦିଆସରିଛି |

‘ଜେଏନ୍‌.୧’ ଚିହ୍ନଟ ହୋଇଥିବା ପ୍ରଥମ ରାଜ୍ୟ କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୫ ସକ୍ରିୟ ଆକ୍ରାନ୍ତ ଚିହ୍ନଟ କରାଯିବା ପରେ ସେଠାକାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୬ରେ ପହଞ୍ଚିଛି |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #covidvirus #coviddisease #covidcaseses #covidindia #covidtesting

Leave a Reply

Your email address will not be published. Required fields are marked *