ରାଇଜିଂ ଉତ୍କଳ
ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ସଂକେତ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡ଼ିଆଠାରେ ଅନୁଷ୍ଠିତ ବାଗେଡ଼ିଆ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କିଛି ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର କହିଛନ୍ତି, ବାଗେଡ଼ିଆ ହେଉଛି ଅବିଭାଜିତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ। ଏହା ସମ୍ବଲପୁର ଜିଲ୍ଲା ସୀମାରେ ରହିଛି। ଏଠାରେ ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଲୋକେ ବହୁତ ଉନ୍ନତ। କେବଳ କ୍ରିକେଟ କାହିଁକି ସମସ୍ତ ପ୍ରକାର କ୍ରୀଡ଼ାରେ ଏଠାକାର ଲୋକଙ୍କ ଆଗ୍ରହ ରହିଛି। ତେଣୁ ମୁଁ ଦଳକୁ ଲେଖି ଦେଇଛି। ଏ ଅଞ୍ଚଳରୁ ନିର୍ବାଚନ ଲଢ଼ିବି । ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏଭଳି ଉକ୍ତି ପରୋକ୍ଷ ଭାବେ ସୂଚାଉଛି ଯେ ଆସନ୍ତା ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ। ବାଗେଡ଼ିଆ ୟୁଥ କ୍ଲବ ଦ୍ୱାରା ଦୀର୍ଘ ୧୦ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୮ଟି ଟିମ ଅଂଶ ଗ୍ରହଣ କରିଥିଲେ। କମାଣ୍ଡୋ ଭୁବନେଶ୍ୱର ଓ ଲୁଟୁ ୱାରିୟର୍ସ ଅନୁଗୁଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । କାମାଣ୍ଡୋ ଦଳ ୩ ୱିକେଟରେ ବିଜୟୀ ହୋଇ ଚାମ୍ପିୟାନ ହୋଇଛି |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
Tags: #DharmendraPradhan #DharmendraElectionCampaign #LokSabhaElection2019 #BJP #BharatiyaJanataParty

