ରାଇଜିଂ ଉତ୍କଳ
ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମାରୋହ | ବ୍ରାହ୍ମଣବରଣ କଲେ ଗଜପତି ମହାରାଜା | ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଆୟୋଜିତ ହେବାକୁ ଥିବା ମନ୍ତ୍ର ଧ୍ୱନି ସାରାଦୁନିଆ ଦେଖିବ |
ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ | ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ଓ ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ | ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞସ୍ଥଳ ନିକଟ ସ୍ବତନ୍ତ୍ର କୁଡ଼ିଆରେ ଅଙ୍କୁରରୋପଣ ନୀତି ସମ୍ପନ୍ନ କରିଛନ୍ତି ବରଣ ବ୍ରାହ୍ମଣମାନେ | ଶନିବାର ଆରମ୍ଭ ହେବ ଅଙ୍କୁର ପୂଜନ ଏବଂ ଅନ୍ୟାନ୍ୟ ନୀତିକାନ୍ତି | ଏଥିପାଇଁ ଆୟୋଜିତ ହୋଇଛି ଭଵ୍ୟ ଆୟୋଜନ | ମହାପ୍ରଭୁଙ୍କ ଏହି ପବିତ୍ର ଓ ଭବ୍ୟ ମହୋତ୍ସବକୁ ସମନ୍ବୟ ରକ୍ଷା ପୂର୍ବକ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜା | ଏତଦବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତି ଓ ବୈଦିକ ପରମ୍ପରାର ଅପୂର୍ବ ଭାବାବେଗକୁ ଅନୁଭବ କରିବ ବୋଲି ସେ କହିଛନ୍ତି |

