ଆମେରିକାର ‘ସିନ୍ସିନାଟି ବିଶ୍ବବିଦ୍ୟାଳୟ’ରେ ପିଏଚ୍.ଡି. କରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି | ଛାତ୍ର ଜଣଙ୍କ ବୟସ ୨୬ ହୋଇଥିବା ବେଳେ ଓହାଇଓ ଅଞ୍ଚଳରେ ଗୋଟାଏ କାର୍ ଭିତରେ ତାଙ୍କୁ ଗୁଳି ମାଡ଼ ହୋଇଥିବା ଗଣମାଧ୍ୟମ ‘ଫକ୍ସ ୧୯’ ପ୍ରକାଶ କରିଛି | ହାମିଲ୍ଟନ୍ କାଉଣ୍ଟି କରୋନର୍ କାର୍ଯ୍ୟାଳୟରୁ ତଥ୍ୟ ସଂଗ୍ରହ କରି ‘ଫକ୍ସ ୧୯’ ଏହି ରିପୋର୍ଟ କରିଛି |
ଆଦିତ୍ୟ ଅଦ୍ଲଖା ନାମକ ଏହି ଭାରତୀୟ ଛାତ୍ର ‘ମଲିକ୍ୟୁଲାର୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟାଲ୍ ବାୟୋଲୋଜି ପ୍ରୋଗ୍ରାମ୍’ରେ ପିଏଚ୍.ଡି. କରୁଥିଲେ | ତେବେ ନଭେମ୍ବର ୯ ତାରିଖରେ ତାଙ୍କୁ ଗୁଳି ହୋଇଥିବା ବେଳେ ନଭେମ୍ବର ୧୮ ତାରିଖରେ ବିଶ୍ବବିଦ୍ୟାଳୟର ମେଡିକାଲ୍ ସେଣ୍ଟର୍ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି |

ମିଳିଥିବା ଖବର ମୁତାବକ, ୱେଷ୍ଟର୍ଣ୍ଣ ହିଲସ ଭାୟାଡକ୍ଟର ପ୍ରାଚୀରରେ ଧକ୍କା ଖାଇଥିବା ଗୋଟାଏ କାର୍ ଭିତରୁ ସିନସିନାଟି ପୁଲିସ ଆଦଲଖାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରିଥିଲା| ପରେ ନଭେମ୍ବର ୯ ସକାଳ ପ୍ରାୟ ୬.୨୦ରେ ଗୁଳି ଫୁଟା ଶବ୍ଦ ସ୍ଥାନୀୟ ଲୋକ ଶୁଣିଥିବା ତଦନ୍ତରୁ ଜଣାପଡ଼ିଥିଲା | ତେବେ ତାଙ୍କ କାର୍ ଉପରକୁ ଏକାଧିକ ଥର ଗୁଳି ଚଳାଯାଇଥିଲା | ପରେ ଆଦଲାଖାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା | ସେଠାରେ କିଛି ଦିନ ସଙ୍କଟାପନ୍ନ ଅବସ୍ଥାରେ ରହି ଶେଷରେ ସେ ମୃତ୍ୟୁବରଣ କରିଥିଲେ | ତେବେ ତାଙ୍କୁ କେଉଁ କାରଣରୁ ଏହି ଗୁଳିମାଡ଼ ହୋଇଛି ତାହା ଜଣାପଡ଼ିନାହିଁ | ସମ୍ପୃକ୍ତ ଘଟଣାରେ ଏଯାବତ୍ କାହାକୁ ଗିରଫ ମଧ୍ୟ କରାଯାଇ ନାହିଁ |
ପ୍ରକାଶ ଥାଉକି, ଦିଲ୍ଲୀ ବିଶ୍ବବିଦ୍ୟାଳୟର ରାମଜସ କଲେଜରୁ ୨୦୧୮ରେ ପ୍ରାଣୀ ବିଜ୍ଞାନରେ ଆଦଲଖା ସ୍ନାତକ କରିଥିଲେ | ପରେ ୨୦୨୦ରେ ଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରୁ ଶରୀର ବିଜ୍ଞାନରେ ସେ ସ୍ନାତକତ୍ତୋର ହାସଲ କରି ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାଇଥିଲେ |
ରିପୋର୍ଟ: ରାଇଜିଂ ଉତ୍କଳ

