ରାଇଜିଂ ଉତ୍କଳ ଓଡ଼ିଆ ଧାରାବାହିକ ତଥା ଓେବ୍ ସିରିଜର ଲୋକପ୍ରିୟ ଅଭିନେତା ବିରଞ୍ଚି ନାରାୟଣ ନାୟକ ଗିରଫ ହୋଇଛନ୍ତି | ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି | ଭରତପୁର ଥାନା ପୋଲିସ ଗିରଫ କରିବା ସହ ସୋମବାର ତାଙ୍କୁ କୋର୍ଟ ଚାଲାଣ କରିଛି |
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ କଳିଙ୍ଗ ଷ୍ଟୁଡିଓ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ | ତେବେ ରାତି ପ୍ରାୟ ୧ଟା ୧୫ରେ ବିରଞ୍ଚି କାର ଚଳାଇ ରେଣ୍ଟାଲ ଛକ ପାର୍ଶ୍ୱରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡକୁ ଆସୁଥିଲେ | ଏହି ସମୟରେ ଯାଞ୍ଚ କରୁଥିବା ପୋଲିସ ଟିମ୍ ଯାଞ୍ଚ ପାଇଁ ତାଙ୍କ କାର୍କୁ ଅଟକାଇଥିଲେ | ଏହାପରେ ବିରଞ୍ଚି କାରରୁ ବାହାରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ ଓ ଦୁର୍ବ୍ୟବହାର କରିଥିଲେ | ଏଥିସହ ଆକ୍ରମଣ କରିଥିବା ନେଇ ବି ଅଭିଯୋଗ ହୋଇଛି | ଯାହାକୁ ନେଇ ପୋଲିସ ବିରଞ୍ଚିକୁ ଗିରଫ କରିଥିବା ଜଣାପଡିଛି | ପ୍ରକାଶ ଥାଉକି, ଅଭିନେତା ଶ୍ରୀ ନାୟକଙ୍କ ଘର ପୁରୀ ହୋଇଥିବା ବେଳେ ସେ ଭୁବନେଶ୍ୱରର ନୟାପଲ୍ଲୀରେ ଠାରେ ରହନ୍ତି |
ରିପୋର୍ଟ: ରାଇଜିଂ ଉତ୍କଳ

