କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ
କେନ୍ଦ୍ର ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାରକୁ ଦାୟୀ କରି ଗ୍ରାମୀଣ ଡ଼ାକ ସେବକ ସଂଘ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି | ସମସ୍ତ ପ୍ରକାର କାର୍ଯ୍ୟରୁ ବିରତି ରହିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧର୍ମଘଟ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି | ୧୨ ଡ଼ିସେମ୍ବର ମଙ୍ଗଳବାର ଠାରୁ ଏହାକୁ ଉଭୟ ସର୍କଲ ଓ ଜାତୀୟ ସଂଘ ସମର୍ଥନ ଦେଇଥିବା ବେଳେ ବୁଧବାର ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି |

ବାଲେଶ୍ଵର ଜିଲ୍ଲା ବସ୍ତା ଉପ-ଡାକଘର ସାମ୍ନାରେ ଡ଼ାକ ସେବକମାନେ ଧର୍ମଘଟ କରିଥିଲେ | ବିଭିନ୍ନ ଦାବି ନେଇ ସ୍ଲୋଗାନ ଓ ନାରାବାଜି କରିବା ସହ କେନ୍ଦ୍ର ସରକାରଙ୍କ ମନମାନିକୁ ବିରୋଧ କରିଥିଲେ | ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ସେଗୁଡିକର ଆଶୁ ପୂରଣ ନେଇ ସରକାର ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ଆବେଦନ କରିଥିଲେ | ଅଖିଳ ଭାରତ ଗ୍ରାମୀଣ ଡ଼ାକ ସେବକ ସଂଘର ସଭାପତି ବିଷ୍ଣୁପଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ଗିରୀଜା ଶଙ୍କର ଦାସ, କୋଷଧ୍ୟକ୍ଷ ଜନ୍ମଜେୟ ମଲ୍ଲିକ ଏବଂ ସମ୍ପାଦକ ନାରାୟଣ ପ୍ରସାଦ ଦାସ ପ୍ରମୁଖଙ୍କ ନିଷ୍ପତ୍ତିକୁ କର୍ମକର୍ତ୍ତାମାନେ ବଖାଣିଥିଲେ |

ବିଭିନ୍ନ ଦାବି ମଧ୍ୟରେ ଗ୍ରାମୀଣ ଡ଼ାକ ସେବକଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା, ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା ସହ ପେନସନ ଦେବାର ବ୍ୟବସ୍ଥା କରାଇବା, ପାଞ୍ଚ ଲକ୍ଷର ସ୍ୱାସ୍ଥ୍ୟବୀମା ସୁବିଧା, ୫ ଲକ୍ଷର ଗ୍ରୁପ ଇନ୍ସୁରାନସ ବ୍ୟବସ୍ଥା ଆଦି ରହିଥିଲା | ଅନୁରୂପ ପାଞ୍ଚ ଲକ୍ଷ ଟଙ୍କାର ଗ୍ରାଚୁଇଟି ଦେବା, ୧୮୦ ଦିନର ବେତନ ସହ ଛୁଟି ବ୍ୟବସ୍ଥା, “କମଲେଶ ଚନ୍ଦ୍ରା କମିଟି” ନିୟମ ଅନୁଯାୟୀ ୧୨, ୨୪ ଓ ୩୬ ବର୍ଷରେ ବିଭାଗୀୟ ପଦୋନ୍ନତି, ୨୦୧୮ ପରିବର୍ତ୍ତେ ୨୦୧୬ରୁ ଏହାକୁ କାର୍ଯ୍ୟକାରୀ କରିବା, ଅବସର ନେଇଥିବା ଡ଼ାକ ସେବକଙ୍କୁ ପେନସନ ଦେବା, ଡ଼ାକ ସେବକଙ୍କୁ ଟାର୍ଗେଟ ନ ଦେବା ଆଦି ରହିଥିଲା | ସେହିପରି ଆରଆଇସିଟି ଡିଭାଇସ ପରିବର୍ତ୍ତେ ଅତ୍ୟାଧୁନିକ ବୈଦ୍ୟୁତିକ ଯନ୍ତ୍ରାଂଶ ଓ ବ୍ରୋଡ଼ବ୍ୟାଣ୍ଡ ନେଟଓର୍କ ସୁବିଧା ଯୋଗାଇଦେବା ଆଦି ନେଇ ସେମାନେ ଦାବି କରିଥିଲେ | ଦେଶବ୍ୟାପୀ ଏ ସମସ୍ତ ଦାବି ସମାନ ରହିଥିବା ଡ଼ାକ ସେବକମାନେ ପ୍ରକାଶ କରିଥିଲେ |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

