ଆଜି ଜାତୀୟ କୃଷକ ଦିବସ
ସମାଜ ଓ ସଭ୍ୟତାର ମେରୁଦଣ୍ଡ ହେଉଛି କୃଷି । ଗ୍ରାମୀଣ ଜୀବନର ଆଦ୍ୟ ଓଁକାର କୃଷି । ଆଉ ଏହି କୃଷିର ମାନସ ସନ୍ତାନ ହେଉଛନ୍ତି ଚାଷୀ । ସେଇ କୁଶଳୀ ବିନ୍ଧାଣୀଙ୍କ ଉଦେ୍ଦଶ୍ୟରେ ପ୍ରତିବର୍ଷ ଡ଼ିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୋଧୁରୀ ଚରଣ ସିଂଙ୍କ ସମ୍ମାନାର୍ଥେ ଏ ନିବସ ପାଳନ କରାଯାଏ । ସାମାଜିକ ଜନଜୀବନ ସହ କୃଷି ସହ ସମ୍ପର୍କ ଢ଼େର ପୁରୁଣା । ଜନସଂସ୍କୃତି ଆଉ କୃଷି ପରସ୍ପରର ପରିପୂରକ । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା ଦେଖେ ତାହେଲେ କୃଷି ବିନା ଏସବୁ ଦୁଃସ୍ୱପ୍ନ । ଦିନ ଥିଲା ଏ ସମାଜ ସବୁଜିମାର ବଳୟ ଭିତରେ ଆବଦ୍ଧ ହୋଇ ଥିଲା । ପରିବେଶ ସବୁଜର ଆବରଣରେ ବେଶ ଖୁସି ହୋଇ ହସୁଥିଲା । କୃଷିକୁ କଷ୍ଟ ନୁହେଁ ବରଂ ଏକ କର୍ମସିକ୍ତ ଭାବନାରେ ପ୍ରତିପାଦିତ କରାଯାଉଥିଲା । ଚାଷ ଜମି ଥିଲା ଚାଷୀର ସବୁକିଛି । ସଭ୍ୟତା ଓ ସଂସ୍କୃତିର ମାନଦଣ୍ଡ । ଦେଶ ଅର୍ଥନୀତିର ମାପକାଠି ରୂପେ କୃଷିକୁ ହିଁ ବିବେଚନା କରାଯାଉଥିଲା ।
ସମସ୍ତେ ଅନେକ କଥା ଦେଖନ୍ତି , ଅନେକ କଥା ଶିଖନ୍ତି । କିନ୍ତୁ ସେସବୁକୁ ଦୈନନ୍ଦିନ ଜୀବନରେ ଉପଯୋଗ କରିବାର ଦୃଷ୍ଟାନ୍ତ ବହୁତ କମ୍ । ଚାଷ ବିଷୟରେ କାହାକୁ ବା ଅଜଣା । ସମସ୍ତେ ଚାଷ କଣ , ଚାଷ କେମିତି ହୁଏ ଜାଣିଛନ୍ତି । କିନ୍ତୁ କେହି କେବେ ସେ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତିନି । ନିଚ୍ଛକ ସତ କଥାଟି ହେଲା ଏସି ରୁମ୍ ଚୟାର ଟେବୁଲ ଛାଡ଼ି ଏ ବିଲ ବାଡ଼ି କାମ କିଏ ବା କରିବ । ସକାଳ ୧୦ଟା ବାଜିଲେ ଅଫିସ ଯାଅ ଆଉ ସଂଧ୍ୟା ହେଲେ ପାର୍କ ଆଉ ସିନେମା । ଏ କାଦୁଅ ବିଲକୁ ଆମେ ବା କାହିଁ ଯିବୁ । ଯିଏ ତ କରିବା କଥା କରୁଛି , ଆମେ ବଜାର ଯିବୁ , କିଣିବୁ ଖାଇବୁ । ଏ ହେଉଛି ଏବେକାର ସମାଜର ଜ୍ୱଳନ୍ତ ପ୍ରତିଛବି । ଆମେ ନ ମାନିଲେ ବି ଏହା ସତ୍ୟ ।
ଶ୍ୟାମଳ ସୁବର୍ଣ୍ଣ ୨୦୧୮ ମସିହାରେ ଯେବେ ଆରମ୍ଭ କରିବାର ଚେଷ୍ଟା କରିଥିଲି ସେବେ ଚାଷ କଣ ଜାଣିନଥିଲି, କେବଳ କ୍ଲାସରୁମର ଶିକ୍ଷା ଭିତରେ ସୀମିତ ଥିଲି । ନା କୋଣସି ଚାଷୀଙ୍କ ସହ ମିଶିଥିଲି ନା ସେ ଚାଷର ଗହନ କଥାକୁ ବୁଝିଥିଲି । ପରର୍ବୀ ସମୟରେ ଅନେକ ଗାଁକୁ ଗଲି, ଚାଷୀଙ୍କ ସହ ମିଲିଲି । ସେମାନଙ୍କ ସହ କ୍ଷେତରେ ସମୟ ବି କାଟିଲି । ସେବେ ଜାଣିଲି ଏ କୁଶଳୀ କାରିଗର ମାନଙ୍କ ମହନୀୟତା ବିଷୟରେ । ପତ୍ରିକାରେ ସବୁ ସଂଖ୍ୟାରେ ସେଥିପାଇଁ କେବଳ କୃଷି ଭିିକ ତଥ୍ୟକୁ ସ୍ଥାନ ଦେବାକୁ ଚେଷ୍ଟା କରିଛି । ତେବେ ଏ ଭିତରେ ଚାଷୀଙ୍କ ସହ ମିଶି ସେମାନଙ୍କ ଚାଷ ପ୍ରତି ଆଗ୍ରହ ହେଉ କିମ୍ବା ସେମାନଙ୍କ କାର୍ଯ୍ୟଦକ୍ଷତା ଓ ନିପୁଣତା ବିଷୟରେ ଅନେକ କିଛି ଜାଣିବାକୁ ପାଇଲି ।
୨୦୨୦ ମାର୍ଚ୍ଚରୁ ଏବେ ଯାଏଁ ଗୋଟିଏ ଶବ୍ଦ ଯାହା ଆମ ଭିତରେ ଭୟ ସଂଚାର କରି ଚାଲିଛି ସେ ହେଉଛି କରୋନା । ଆଶା ଓ ଆଶଙ୍କାର ଆବରଣରେ ବାନ୍ଧି ହୋଇଯାଇଛନ୍ତି ଜନସାଧାରଣ । ଗୋଟେ ସମୟରେ ସାରା ଭାରତ ଏକପ୍ରକାର ତାଲାବନ୍ଦ ଅବସ୍ଥାରେ ଥିଲା । ଜନଜୀବନ ସ୍ତବ୍ଧ । ସବୁଆଡ଼େ ଖାଁ ଖାଁ । ଏହି ତାଲାବନ୍ଦ ଯୋଗୁଁ ଗରିବ, ଖଟିଖିଆଙ୍କର କାମଦାମ ଏକପ୍ରକାର ବନ୍ଦ ହୋଇଯାଇଥିଲା । ତେବେ ଏହାରି ଭିତରେ ଥକି ପଡ଼ିନାହିଁ ଚାଷୀ । କାହିଁକି ନା ଯଦି ସେ ବସିପଡ଼ିବ , ଥକିପଡ଼ିବ ତାହେଲେ ଦି ଓଳି ଦାନା ଦି ମୁଠା ପେଟକୁ ଯିବା ସ୍ୱପ୍ନ ହୋଇଯିବ । ସେ ଛୁଟି କଣ ଜାଣିନି । ସେ ଥକ୍କାପଣ କଣ ଜାଣିନି । ସେ ଜାଣିନି ମଉଜମଜିଲିସର ମହକ । କେବଳ ଏତିକି ଜାଣିଛି ସେ ଚଷା ଘରପୁଅ । ଖଟିଲେ ଖାଇବ । ଚାଷ କଲେ ଦୁନିଆ ଚଳିବ । ସବୁଲୋକଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ ସେ ଅବିରତ ସଂଗ୍ରାମ କରିଚାଲେ । ସଂଘର୍ଷକୁ ଆଦରି ବେଶ ଖୁସିରେ ନିଜ କର୍ମ ସମ୍ପାଦନ କରେ । ସେଇଥିପାଇଁ ତ ସେ ମହାନ । ଚାଷୀକୂଳର ବିକାଶ ଦିଗରେ ସରକାକଙ୍କ ଦ୍ୱାରା ଅନେକ ଯୋଜନା ପ୍ରଣୟନ ହୋଇଛି । ହେଲେ ସବୁଠୁ ବଡ଼ କଥା ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି । ରାଜ୍ୟ ସରକାର ଆଣିଥବା କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ପରନ୍ତୁ କେତେକ ଅସାଧୁ ଲୋକବି ଏହି ଯୋଜନାର ଫାଇଦା ଉଠାଇଥିବାର ଲକ୍ଷ୍ୟ କରାଯାଇଥିଲା ,ଯାହା ଅତି ଦୁଃଖର ବିଷୟ । ଏହା ଛଡ଼ା ସୋ÷ର ଜଳନିଧି ଯୋଜନା ଯାହା ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କର ଚାଷୀ ମାନଙ୍କ ପାଇଁ ବଳରାମ ଯୋଜନା , ସଫଳ ଯୋଜନା , ଗୋ ସୁଗମ ପରି ବିଭିନ୍ନ ବିକାଶୋନ୍ମୁଖୀ ଯୋଜନା ଏବେ ଚାଷୀଙ୍କ ପ୍ରଗତି ଦିଗରେ କାମ କରୁଛି । ଏତଦବ୍ୟତୀତ ଓଡ଼ିଶାରେ ମିଲେଟ ମିଶନ ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ । ପୁଷ୍ଟିଶସ୍ୟର ପ୍ରସାର ପ୍ରସାର ସହ ରାଜ୍ୟରେ ଏହା ଏବେ ଏକ ବିପ୍ଲବ ଭାବରେ ପରିଣତ ହୋଇଛି ।
୧୯୯୯ର ମହାବାତ୍ୟା ହେଉ , ହୁଡ଼ହୁଡ଼, ତିତଲି , ଫନି ପରି ବାତ୍ୟାର ବିଭୀଷିକା ହେଉ କି ଚକଡ଼ା ପୋକର ବିତ୍ପାତ ହେଉ , ଏସବୁଥିରେ ବେଶ ସୁଦୃଢ଼ ମନୋବଳ ସହ ଚାଷୀ ଏହାକୁ ସାମ୍ନା କରିଛି , ମୁକାବିଲା ବି କରିଛି ଆଉ ଆ ସଳଖି ଠିଆ ହେଇଛି । ଯେଉଁ ବାତ୍ୟା ଦିନେ ଚାଷ ଜମିକୁ ବିପର୍ଯ୍ୟସ୍ତ କରିଥିଲା , ପୁଣି ସେ କ୍ଷେତରେ ଫରଫର ହେଇ ଧାନ କେଣ୍ଡା ହସିଛି , ପୁଣି ସୋରିଷର ମହମହ ବାସ୍ନା ସାଙ୍ଗକୁ ହଳଦୀର ଆବରଣରେ ପରିବେଶ ବି ମୁଗ୍ଧ ହୋଇଛି । କିନ୍ତୁ ଚାଷୀ କେବେ ବସିନି । ଚାଷୀ ମନଦୁଃଖ କରିଛି , ଅନୁତାପ କରିଛି କିନ୍ତୁ ନିଜ ର୍କବ୍ୟ ପଥରୁ ବିଚୁ୍ୟତ ହୋଇନାହିଁ । ସେ ସୃଷ୍ଟି କରିଛି ଆଦର୍ଶ ଓ ବାସ୍ତବତାର ନୂଆ ଏକ ରୂପରେଖ । ସେ କାଦୁଅ ବିଲରେ ପଶେ କିନ୍ତୁ ଶେଷରେ ସୁବର୍ଣ୍ଣର ମାହୋଲ ବି ରଚନା କରିଦିଏ । ଆଉ ଏଇ କରୋନାର ଭୟାବହତା ଆଉ ଡ଼ର ଭିତରେ ସମସ୍ତେ ଆମେ ଘରେ ସୁରକ୍ଷିତ ରହୁଛନ୍ତି ସତ କିନ୍ତୁ ଚାଷୀର ମନ ସେଇ ଚାଷ ଜମିରେ । ସେ ପରା ତାର ମାନସ ସନ୍ତାନ । ଦିହେଁ ଦୁହିଁକୁ ଛାଡ଼ି କେମିତି ବି ରହିବେ । ବର୍ଷ ବର୍ଷ ଧରି ଏଇ ଅତୁଟ ସମ୍ପର୍କକୁ ଯିଏ ଛିନ୍ନ କରିପାରିନି , ଏ ଭୟାବହତା କଣ ବା କରିବ । ଆଜି ବି ଚାଷୀ ଚାଷ ଜମିରେ ବେଶ ଖୁସିରେ ଚାଷ କରୁଛି । ସରକାରଙ୍କ ନିଦେ୍ର୍ଦଶକୁ ପାଳନ କରୁଛି ।
ଏଇ କିଛି ଦିନ ତଳେ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ପରିଦର୍ଶନ କଲା ବେଳେ ମାଣ୍ଡିଆ ପ୍ରତି ଲୋକଙ୍କ ଭଲପାଇବାକୁ ଆଖିରେ ଦେଖିଥିଲି । ଆମେ ସହରର ଚାକଚକ୍ୟ ଭିତରେ ମାଣ୍ଡିଆ ପାଇଁ ଯେତିକି ପାଗଳ ହେଉଛନ୍ତି ସେମାନେ ପିଲାଟି ଦିନରୁ ଏବେ ଯାଏଁ ତା ଠାରୁ ଅଧିକ ମୋହରେ ବନ୍ଧା । ସବୁଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ସେମାନଙ୍କର ନିତିଦିନଆ କାମ । ଏହି ଭିତରେ ଜଣେ ପ୍ରାପ୍ତ ବୟସ୍କ ଚାଷୀଙ୍କ ସହ ଭେଟିଥିଲି । ଖରାବେଳରେ ବି ଖରାକୁ ଖାତିର ନକରି ସେ ଯେପରି ମାଣ୍ଡିଆର ପ୍ରଶଂସା କଲେ ଉପସ୍ଥିତ ଲୋକ ବି ଚକିତ ହେଲେ । ତାଙ୍କ ମୁହଁରୁ ଯେବେ ମାଣ୍ଡିଆର ଗୁଣବତ୍ତା ବିଷୟରେ ଶୁଣିଲି ନିଜେ ବି ଆଶ୍ଚର୍ଯ୍ୟ ହେଲି । କାରଣ ୭୦ବର୍ଷ ବୟସରରେ ବି ସେ ମାଣ୍ଡିଆ ଚାଷ କରୁଛନ୍ତି । ସେ ଯେମିତ୍ ଫିଟ୍ ଅଛନ୍ତି ସାଧାରଣ ଯୁବକଟିଏ ଆଜିର ଦିନରେ ସେତିକି କାମ କରିପାରିବନି । ପାଖାପାଖି ୧.୫ଏକରରୁ ଅଧିକ ଜମିରେ ସେ ମାଣ୍ଡିଆ ଚାଷ କରୁଛନ୍ତି । ସବୁଦିନ ଖାଦ୍ୟରେ ମାଣ୍ଡିଆ ଜାଉ ସାମିଲ କରୁଛନ୍ତି । ଏସବୁ ହିଁ ତାଙ୍କ ଫିଟ୍ ରହିବାର କାରଣ ବୋଲି ସେ ଯେବେ କହିଲେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । କାରଣ କଥା ଛଳରେ ସେ କହୁଥିଲେ ଆଗରୁ ସିନା ଏସବୁ ଗରିବ ମାନଙ୍କର ଖାଦ୍ୟ ଥିଲା ଏବେ କିନ୍ତୁ ଏଥିପାଇଁ ସରକାର ଗୁଡ଼ାଏ ଯୋଜନା କଲେଣି । ସେହିଠାରୁ ହିଁ ଶୁଣିଲି ମିଲେଟ ମିଶନର ଗାଥା । ପାହାଡ଼ ପାଦଦେଶରୁ ବି ମହକ ବୁଣୁଛି ମାଣ୍ଡିଆ । ମିଲେଟ ମିଶନର ସଫଳତା କାହାଣୀ ସେ ଚାଷୀଙ୍କ ମୁହଁରୁ ଶୁଣି ଅନ୍ତତଃ ଏତିକି ବୁଝିଲି ଆମ ରାଜ୍ୟର ଚାଷୀ ସଶକ୍ତ ଆଉ ସମୃଦ୍ଧ । ଧାନ ଓଡ଼ିଶାର ମୁଖ୍ୟ ଫସଲ । ଓଡ଼ିଶାର ଅଦେ୍ର୍ଧକାଂଶ ଚାଷୀ ଧାନ ଉପରେ ନିର୍ଭରଶୀଳ । ଏବେ ଖରିଫ ଋତୁରେ ଧାନ ଚାଷ ହେବ । ବହିନ ବୁଣା ଆରମ୍ଭ ହେବ । ତଳି ପଡ଼ିବ । ରୁଆ ହେବ । ଏମିତି ଅନେକ କିଛି କଥା । । ଏଇ କିଛିଦିନ ତଳେ ସମସ୍ତେ ମାତୃ ଦିବସ ପାଳନ କଲେ, ମାର ଅବଦାନକୁ ସ୍ମରଣ କରିବା ପାଇଁ ଏଇ ଦିନଟିକୁ ସମସ୍ତେ ବେଶ ଖୁସିରେ ମନେଇଲେ । ସୋସିଆଲ ମଡ଼ିଆରେ ମା’ଙ୍କ ପାଇଁ ବେଶ ଶିକ୍ଷଣୀୟ ବିଷୟ ବି ଦେଖିବାକୁ ମିଳିଲା । ଏଇସବୁ ଭିତରେ ମୁଁ ସେମିତି ଜଣେ ଚାଷୀଙ୍କୁ ଭେଟିଥିଲି ଯିଏ ନିଜ ମା’ଙ୍କ ଆଦର୍ଶକୁ ଗ୍ରହଣ କରି ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ ।
ସବୁଥିରେ ପାରଙ୍ଗମ । ସୁନ୍ଦରଗଡ଼ ଜିଲ୍ଲାର ସୁକାନ୍ତି ଭିତିରିଆ । ମା’ଙ୍କ ଉପରେ ମୁଁ ତାଙ୍କୁ କିଛି ପ୍ରଶ୍ନ କରିବା ପୂର୍ବରୁ ସେ ବେଶ ଚତ୍ମକାର ଭାବରେ ପ୍ରଥମ ଧାଡ଼ି କହିଗଲେ – ମୋ ମା’ ମୋ ପାଇଁ ସବୁକିଛି । ଆଜି ମୁଁ ଯାହା ବି ହେଇଛି ସବୁ ମୋ ମା’ ପାଇଁ । ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ହୋଇ ଘରେ ସୃଷ୍ଟି କରିଛନ୍ତି ପାକଶାଳା ବଗିଚାର ମାହୋଲ । ପାକଶାଳା ବଗିଚା ଏବେ ଏକ ଲୋକପ୍ରିୟ ସହରାଂଚଳ କୃଷିର ଉଦାହରଣ । ତେବେ କଥାଛଳରେ ସେ ବଖାଣିବସିଲେ ପରିବାରର କଥା । ଆଉ ମୁଁ ବୁଝି ପାରିଲି ଜଣେ କେବଳ ଚାଷ ଶିଖିଲେ ଯେ ଚାଷ କରିପାରିବ , ସେ କଥା ନୁହେଁ । ଚାଷ ପାଇଁ ଦରକାର ଦୃଢ଼ ମନୋବଳ ଆଉ କଠିନ ଇଚ୍ଛାଶକ୍ତି । ଯାହା ତାଙ୍କ ମା’ ହିଁ ଆରମ୍ଭ କରିଥିଲେ । ଆଉ ଆଜି ତାଙ୍କ ମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବି ସୃଷ୍ଟି କରିଛନ୍ତି ଉଦ୍ୟାନ କୃଷିର ବେଶ କିଛି ନୂଆ ଢ଼ାଂଚା । ସେଇଠାରୁ ବୁଝିଗଲି ଚାଷୀର ସଂଜ୍ଞା ପାଇବା ସତରେ ବଡ଼ କଷ୍ଟ । ଆମେ ତିନି ଚାରି ଘା କ୍ଷେତକୁ ଗଲେ ହାତ ଦରଜ ହୋଇ ଦୁଇ ଦିନ ଆରାମ କରୁଥିବା ବେଳେ ସେ ଦିନରୁ ରାତିଯାଏଁ ବେଶ ଆନନ୍ଦରେ ନିଜ କାମକୁ ଉପଭୋଗ କରେ । ସତେ ଯେମିତି ଏ ମାଟିର ସବୁ କଣିକାକୁ ସେ ବେଶ ଭଲ ଭାବରେ ଚିହ୍ନିଯାଇଛି ।
ଡ଼ି ଶୁଭମ୍
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର,
ମୋ- ୯୪୩୮୪୬୭୦୭
- Tags: #RisingUtkal #risingutkal #NationalFarmersDay #DSubham


