ରାଜନୀତିକରଣକୁ ବିରୋଧ, ମୌଳିକ ସମସ୍ୟାକୁ ଗୁରୁତ୍ୱ
ରାଜ୍ୟର ଅନ୍ୟତମ ଅଗ୍ରଣୀ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଏବିଭିପି କ୍ୟାମ୍ପସ ଶାଖା ତରଫରୁ ମଙ୍ଗଳବାର ପ୍ରତିବାଦ କରାଯାଇଛି | ଯୁବ ଓଡିଶା ନବୀନ ଓଡିଶା ଓ 5-T ଆଳରେ କ୍ୟାମ୍ପସରେ ରାଜନୀତିକରଣ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି | କେବଳ ରଙ୍ଗ ପରିବର୍ତ୍ତନ ପରିବର୍ତ୍ତେ କ୍ୟାମ୍ପସରେ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନେଇ ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ଏନେଇ ଅଧ୍ଯକ୍ଷ ପ୍ରଫେସର ଦିଲ୍ଲୀପ ଘୋଷଙ୍କୁ ଦଶ ଦଫା ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି |

ଏବିଭିପି କର୍ମକର୍ତ୍ତାଙ୍କ କହିବାର କଥା ଯେ, ବିଗତ କିଛି ଦିନ ଧରି କ୍ୟାମ୍ପସରେ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଏକ ନିର୍ଦ୍ଦିଷ୍ଟ ଦଳର ଲୋକ ପ୍ରତିନିଧି ଓ ଦଳୀୟ କର୍ମୀ କ୍ୟାମ୍ପସକୁ ଆସୁଛନ୍ତି | ସେମାନଙ୍କ ସହ ଅଣଛାତ୍ରମାନେ ବି ପ୍ରବେଶ କରୁଛନ୍ତି | ସେହିପରି 5-T ଓ ନୂଆ-ଓ ଯୋଜନାରେ କ୍ୟାମ୍ପସରେ ରାଜନୀତି ହେଉଛି | ଏହାଛଡ଼ା କଲେଜର ବିଭିନ୍ନ ସମସ୍ୟାକୁ ନେଇ ବି ସେମାନେ ଦାବି ଜଣାଇଛନ୍ତି | ନୂଆ-ଓ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାନଯିବା, ଅଣଛାତ୍ରଙ୍କ ପ୍ରବେଶକୁ ରୋକିବା, କାର୍ଯ୍ୟକ୍ରମ ସରିବା କ୍ଷଣି କ୍ୟାମ୍ପସରୁ ବ୍ଯାନର ହଟାଯିବା, ନବୀକରଣ କାମରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା, ମହାବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ କରାନଯିବା, ଶ୍ରେଣୀଗୃହର ଆବଶ୍ଯକତା ପୂରଣ କରିବା, ସେମିଷ୍ଟର ଫଳ ପ୍ରକାଶନରେ ତ୍ରୁଟି ସଂଶୋଧନ କରିବା ଆଦି ନେଇ ସେମାନେ ଦାବି କରିଛନ୍ତି | ସେହିପରି ସର୍ବପୁରାତନ ବ୍ରଟିଶ ହଲର ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା, ହଲର ଉପର ଭାଗରେ ତ୍ରିରଙ୍ଗା ପତାକାକୁ ଲଗାଇବା, ସମସ୍ତ ବିଭାଗରେ ୟୁଜି ଏବଂ ପିଜି ପାଠ୍ୟକ୍ରମ ଖୋଲିବା ଆଦି ନେଇ ବି ଦାବି କରିଛନ୍ତି | ତେବେ ଦାବି ପୂରଣ ନେଇ ଅଧ୍ୟକ୍ଷ ପ୍ରଫେସର ଘୋଷ ପ୍ରତିଶ୍ରୁତି ଦେଇଛନ୍ତି |
ଦାବିପତ୍ର ପ୍ରଦାନ ସମୟରେ ଏବିଭିପି ରାଜ୍ୟ ସହ-ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ବାଲେଶ୍ବର ନଗର ସମ୍ପାଦକ ସତ୍ୟମ ଦାସ, ସୌମ୍ୟାଶ୍ରୀ ବିଶି, ଅଭିଳାଷ ସିଂ, ସ୍ମୃତିଶ୍ରୀ ସାହୁ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | ତେବେ ଦାବି ପୂରଣ ନହେଲେ ଆନ୍ଦୋଳନ ନେଇ ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି |

