ତେଜିଲା ମହାନଗର ନିଗମ ଘୋଷଣା ଦାବି

“ଭଏସ ଅଫ ବାଲେଶ୍ୱର”ର ବାଇକ ଶୋଭାଯାତ୍ରା; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ରାଇଜିଂ ଉତ୍କଳ

କିଛି ଦିନ ବ୍ୟବଧାନରେ ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମର ମାନ୍ୟତା ଦାବି ଜୋର ଧରିଛି | ଏନେଇ ଭଏସ ଅଫ ବାଲେଶ୍ୱର ସଂଗଠନ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଛି |

ଦାବି ପୂରଣ ନେଇ ସଂଗଠନର କର୍ମକର୍ତ୍ତାମାନେ ସହରର ପୋଲିସ ଲାଇନ ଛକ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଥିଲେ | ପ୍ଲାକାର୍ଡ ପ୍ରଦର୍ଶନ ଓ ନାରାବାଜି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ | ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ସଂଗଠନର ସଭାପତି ଅରିଜିତ ଘୋଷାଲଙ୍କ ଆହ୍ୱାନ କ୍ରମେ ସଂଗଠନର ନବ ନିଯୁକ୍ତ ଯୁବ ଶାଖା ନଗର ସଭାପତି ଶୁଭମ ସାଇ ମହାପାତ୍ର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ |

କର୍ମକର୍ତ୍ତାମାନେ ବାଲେଶ୍ୱରକୁ ଅବିଳମ୍ବେ ମହାନଗର ନିଗମ ଘୋଷଣା ନେଇ ଦାବି କରିଥିଲେ | ବହୁ ପୂର୍ବରୁ ମହାନଗର ନିଗମର ଦାବି ହୋଇଆସୁଥିଲେ ମଧ୍ୟ ଆଦ୍ୟାବଧି ଘୋଷଣା ନହେବା ବିଡମ୍ବନା ଓ ଦୁର୍ଭାଗ୍ୟର ବିଷୟ ବୋଲି ପ୍ରକାଶ କରିଥିଲେ | ନିକଟରେ ରାଜ୍ୟ ସରକାର ୩୪ଟି ନୂତନ ଏନଏସି ଓ ୫ଟି ନୂତନ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି | ବାଲେଶ୍ୱର ମ୍ୟୁନିସିପାଲିଟିର ସୀମା ୫୦ ବର୍ଷ ଧରି ଅପରିବର୍ତ୍ତିତ ରହିଛି | ସମସ୍ତ ମାନଦଣ୍ଡ ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି |

କର୍ମକର୍ତ୍ତାଙ୍କ ମଧ୍ୟରେ ସୁଶାନ୍ତ ସାହୁ, ସୁଶୀଲ ଜେନା, ଅଜୟ ବେହେରା, ଅଭିଜିତ ବିଶ୍ୱାଳ, ମହେଶ ସେଠୀ, ରିମା ଯୋସେଫ, ଜଗନ୍ନାଥ ବେହେରା, ବିଶ୍ୱଜିତ ଦାସ, ଦୁଷ୍ମନ୍ତ ପଣ୍ଡା, ସୁଶାନ୍ତ ବେଜ, ମୁନା ମୁଦୁଲି, ଶିବ ଓଝା ପ୍ରମୁଖ ଉପସ୍ଥିତ ଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *